Unknown

 

 

 

 

 

 

 

 

 

 

 

ସତ୍ୟବ୍ରତର ସଂଶୟ

ଚିତ୍ତରଞ୍ଜନ ଦାସ

 

ସୂଚୀପତ୍ର

 

୧.

ସତ୍ୟବ୍ରତର ସଂଶୟ

୨.

ଚାଳିଶିବର୍ଷ ତଳର କଥା

୩.

ବିଚରା ଠାକୁରମାନେ

୪.

ମଣିଷର ବୟସ

୫.

କାହିଁକି

୬.

ସ୍ଵର୍ଗରେ

୭.

ଧୋବଲା ବିଣ୍ଡି

୮.

ଟୁକୁ

Image

 

ସତ୍ୟବ୍ରତର ସଂଶୟ

 

ସେଦିନ ଶ୍ରେଣୀରେ ସାହିତ୍ୟ–ଆଜ୍ଞା ଗୋଟିଏ ପଦ୍ୟ ପଢ଼ାଇଲେ । ଆଖି ଦେଖିଥିବା ଗୋଟିଏ କଥାକୁ ବର୍ଣ୍ଣନା କରି କବି ସେହି ପଦ୍ୟଟିକୁ ଲେଖିଛନ୍ତି । ଘଟଣାଟି ସତକୁସତ ଘଟିଥିଲା କି ନାହିଁ କେଜାଣି, ମାତ୍ର କବି ସେହି କବିତାଟିରେ ସ୍ଵୟଂ କହିଛନ୍ତି ଯେ, ଘଟଣାଟି ହେଉଛି ସଂପୂର୍ଣ୍ଣ ଭାବରେ ଏକ ସତ୍ୟ ଘଟଣା ଏବଂ ତାହା ଘଟିଲାବେଳେ ସିଏ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ-। କେଡ଼େ ଚମତ୍କାର ଛନ୍ଦରେ କବିତାଟିକୁ ଲେଖିଛନ୍ତି । ପଢ଼ିବା ବେଳକୁ ଏକାବେଳେକେ ସତ ବୋଲି ମନେ ହେଉଛି ।

 

ଘଟଣାଟି ଓଡ଼ିଶାର ବାଣପୁରଠାରେ ଘଟିଥିଲା । ବାଣପୁର କବିଙ୍କର ଜନ୍ମ ସ୍ଥାନ । ସେତେବେଳେ ମହାତ୍ମାଗାନ୍ଧୀ ଓଡ଼ିଶାରେ ପଦଯାତ୍ରା କରି ବୁଲୁଥାନ୍ତି । ଆମ ଦେଶଟି ପ୍ରକୃତରେ କିପରି, ସେକଥା ନିଜ ଆଖିରେ ଦେଖିବା ସକାଶେ ମହାତ୍ମାଗାନ୍ଧୀ ସେହି ପଦଯାତ୍ରାରେ ବାହାରି ଥାଆନ୍ତି । ଯେତେବେଳେ ଯେଉଁ ଅଞ୍ଚଳରେ ପଦଯାତ୍ରା ହେଉଥାଏ, ସେତେବେଳେ ସେଠାରେ ମଣିଷମାନଙ୍କର ଗହଳି ଲାଗିଥାଏ । ସେତେବେଳକୁ ମହାତ୍ମାଗାନ୍ଧୀ ଏକାବେଳେକେ ମହାତ୍ମା ଏବଂ ସର୍ବଭାରତୀୟ ନେତା । ଏଡ଼େବଡ଼ ନେତା ହେଲେ ସାଧାରଣତଃ ଏକୁଟିଆ କିଛି କରି ହୁଏ ନାହିଁ । କାରଣ, ତୁମେ ଇଚ୍ଛା କର ବା ନକର ପଛକେ, ତୁମ ସହିତ ମଣିଷଙ୍କର ଭିଡ଼ ଲାଗି ରହିଥାଏ । ସ୍ଥାନୀୟ ନେତା ଓ କର୍ମୀମାନେ ଜାତୀୟ ନେତାଙ୍କର ଗହଣରେ ଆପଣାର ଏକ ପବିତ୍ର କର୍ତ୍ତବ୍ୟ ରକ୍ଷା କରୁଥିବା ପରି ପଦଯାତ୍ରାରେ ସାମିଲ୍ ହେଉଥାନ୍ତି । ସେତେବେଳେ ସେହି ପଦଯାତ୍ରାରେ ସାରା ଭାରତବର୍ଷରେ ଯାହା ହୋଇଥିଲା, ଓଡ଼ିଶାରେ ମଧ୍ୟ ସେହି କଥା ଅବଶ୍ୟ ହୋଇଥିବ । ଜଣେ କର୍ମୀ ହିସାବରେ କବି ମହାତ୍ମାଗାନ୍ଧୀଙ୍କର ପଟୁଆର ସାଙ୍ଗରେ ରହିଥିବେ । ବିଶେଷ କରି,ଯେତେବେଳେ ଗାନ୍ଧୀ ବାଣପୁର ଅଞ୍ଚଳକୁ ଆସିଥିବେ, ବାଣପୁର ଆପଣାର ଜନ୍ମସ୍ଥଳୀ ହୋଇଥିବାରୁ କବି ନିଶ୍ଚୟ ସେହି ସ୍ମରଣୀୟ ଯାତ୍ରାର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ରହିଥିବା ପରି ଅନୁଭବ କରିଥିବେ । ନିଜ ଘରକୁ କୁଣିଆ ଆସିଲେ କୁଣିଆ ପ୍ରକୃତରେ କେଡ଼େ ନିଜର ପରି ନଲାଗନ୍ତି !

 

ବାଣପୁରଠାରେ କେତେ କେତେ ମଣିଷ ମାହାତ୍ମାଗାନ୍ଧୀଙ୍କର ଦର୍ଶନ ଲାଭ କରିବାକୁ ଆସିଥିଲେ । ଖାସ୍ ବାଣପୁର ସିନା ବଜାର ଜାଗା,–ମାତ୍ର ବାଣପୁରର ଆଖପାଖରେ କେତେ କେତେ ଗାଆଁ । ସେହିସବୁ ଗାଆଁରୁ ମଧ୍ୟ ସେଦିନ କେତେ କେତେ ଲୋକ ବାଣପୁର ଆସିଥିଲେ । ବାଣପୁର ପାଖରୁ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳମାନ ଆରମ୍ଭ ହୋଇଛି, ସେଠାରୁ ମଧ୍ୟ ଆଦିବାସୀ ଲୋକେ ମାହାତ୍ମାଙ୍କୁ ଦେଖିବେ ବୋଲି ବାଣପୁର ଆସିଥିଲେ । ପଦ୍ୟଟିରେ କବି ଲେଖିଛନ୍ତି; ସେହିଭଳି ଦଳେ ଆଦିବାସୀ ମହାତ୍ମା ଭୋଜନ କରିବେ ବୋଲି ଜଙ୍ଗଲରୁ କିଛି ଫଳମୂଳ ତୋଳି କରି ସାଙ୍ଗରେ ଧରି ବାଣପୁର ଆସିଥିଲେ । ନିଜର ସବୁଦିନର ଖାଇବା ପଦାର୍ଥ, ଯାହାକୁ ସେମାନେ କେତେ ଖୁସୀ ହୋଇ ଖାଆନ୍ତି, ସେମାନେ ହୁଏତ କେତେ ସରାଗରେ ଓ କେଡ଼େ ଯତ୍ନରେ ତାହାକୁ କାନିରେ ବାନ୍ଧି ଏହି ଅସାଧାରଣ ଅତିଥିଙ୍କ ସକାଶେ ଆଣିକରି ଆସିଥିଲେ ।

 

ବାଣପୁରଠାରେ ସେଦିନ କେତେଭଳି ମଣିଷ ମହାତ୍ମାଗାନ୍ଧୀଙ୍କୁ ଦର୍ଶନ କରିବା ପାଇଁ ଆସିଥିବେ । ମହାତ୍ମାଙ୍କୁ ଭେଟି ଦେବା ନିମନ୍ତେ ସେମାନେ ଆହୁରି କେତେ କେତେ ପଦାର୍ଥମାନ ସାଙ୍ଗରେ ଧରି ଆସିଥିବେ । ଦହି, ଛେନା, ମିଷ୍ଟାନ୍ନ ଓ ଆହୁରି କେତେ କେତେ ମଧୁର ଦ୍ରବ୍ୟ ସେଦିନ ଭେଟି ଦିଆ ହୋଇଥିବ । କର୍ମୀମାନେ କେଡ଼େ ତତ୍ପର ଭାବରେ ଓ ଯତ୍ନ ସହକାରେ ସେଗୁଡ଼ିକୁ ଗ୍ରହଣ କରିଥିବେ । ସମର୍ପିତ ଦ୍ରବ୍ୟଗୁଡ଼ିକ ଭିତରେ ମହାତ୍ମାଙ୍କ ଲାଗି ଯେଉଁଗୁଡ଼ିକୁ ସେମାନେ ସବୁଠାରୁ ଅଧିକ ଉପଯୁକ୍ତ ବୋଲି ମନେ କରିଥିବେ, ସେମାନେ ତାହାକୁ ହିଁ ମହାତ୍ମା ଭୁଞ୍ଜିବେ ବୋଲି ହୁଏତ ଅଲଗା କରି ରଖି ଦେଇଥିବେ । ଅତ୍ୟନ୍ତ ସହଜ କଥା ଯେ, ଆଟବିକମାନେ କାନିରେ ବାନ୍ଧି ଆଣିଥିବା ବଣର ଫଳକୁ ସେମାନେ କେବେହେଲେ ମହାତ୍ମାଙ୍କ ଭୋଜନର ଉପଯୁକ୍ତ ବୋଲି ପସନ୍ଦ କରି ନଥିବେ । ମାତ୍ର ସେଦିନ ଦୁର୍ଭାଗ୍ୟବଶତଃ ମହାତ୍ମା ସ୍ଵୟଂ ଜାଣି ପାରିଥିଲେ ଯେ, ସିଏ ମଣୋହି କରିବେ ବୋଲି ଶବରମାନେ ଜଙ୍ଗଲର କୋଳି ଆଣି ଦେଇଛନ୍ତି ।

Image

ତାଙ୍କ ଗହଣରେ ଥିବା ମଣିଷମାନେ ଯେତେବେଳେ ଅନ୍ୟାନ୍ୟ ଭଲ ଦ୍ରବ୍ୟଗୁଡ଼ିକୁ ନେଇ ଗାନ୍ଧୀଙ୍କ ସମ୍ମୁଖରେ ରଖିଲେ, ସିଏ ପଦ୍ୟରେ ଯାହା କୁହାଯାଇଛି, ତାହାରି ଅନୁସାରେ,–ସେ ସବୁକୁ ଗ୍ରହଣ କରିବାକୁ କୁଆଡ଼େ ମୋଟେ ସମ୍ମତ ହେଲେନାହିଁ । ସିଏ କହିଲେ, ଅରଣ୍ୟବାସୀ ସରଳ ମଣିଷମାନେ କେତେ ସ୍ନେହରେ ତାଙ୍କ ପାଇଁ ଅରଣ୍ୟରୁ କୋଳି ତୋଳି ଆଣି ଭେଟି ଦେଇଛନ୍ତି, ତାହାକୁ ପ୍ରତ୍ୟାଖ୍ୟାନ କରି ସିଏ କଦାପି ଅନ୍ୟାନ୍ୟ ଦ୍ରବ୍ୟଗୁଡ଼ିକୁ ଭକ୍ଷଣ କରିବେନାହିଁ । ସେପରି କଲେ ସ୍ନେହୀର ସ୍ନେହକୁ ଆଡ଼େଇ ଦେଇ ଚାଲିଆସିବା ପରି ହେବ । କବି ଆହୁରି ବର୍ଣ୍ଣନା କରି କହିଛନ୍ତି, “ମହାତ୍ମା ଗାନ୍ଧୀ ସେଦିନ ତାଙ୍କ ପାଇଁ ବଢ଼ା ହୋଇଥିବା ଦ୍ରବ୍ୟଗୁଡ଼ିକୁ ଗ୍ରହଣ କରିବାକୁ ନାସ୍ତି କରିଦେଲେ । ଅର୍ଥାତ୍ ସିଏ କିଛି ଖାଇଲେ ନାହିଁ, ସେଦିନ ରାତିଟା ଉପବାସରେ କଟାଇଲେ ।”

 

ସତ୍ୟବ୍ରତକୁ କବିତାଟି ଭାରି ବଢ଼ିଆ ଲାଗିଲା । ତଥାପି ସିଏ ଗୋଟିଏ କଥା ଆଦୌ ବୁଝି ପାରିଲାନାହିଁ । ସରଳ ଶବରମାନଙ୍କର ଏଡ଼େ ସ୍ନେହରେ ଆଣି ଭେଟି ଦିଆଯାଇଥିବା ବଣର ଫଳକୁ ପ୍ରତ୍ୟାଖ୍ୟାନ କରି ଅନ୍ୟମାନେ ଆଣି ପହଞ୍ଚାଇଥିବା ଖାଦ୍ୟଦ୍ରବ୍ୟକୁ ଯେ ମହାତ୍ମା ଗ୍ରହଣ କଲେନାହିଁ, ସେକଥାଟିକୁ ସେ ଭଲଭାବରେ ବୁଝି ପାରୁଥାଏ । ମାତ୍ର ତା’ ବୋଲି ମାହାତ୍ମା ସେଦିନ ରାତିରେ କାହିଁକି ଉପବାସ ରହିଲେ, କିଛି ଖାଇଲେ ନାହିଁ, ସତ୍ୟବ୍ରତ ସେକଥା ମୋଟେ ବୁଝି ପାରିଲାନାହିଁ । ମହାତ୍ମା ଶବରମାନେ ଦେଇଥିବା ବଣର ଫଳକୁ କାହିଁକି ଭୋଜନ କଲେ ନାହିଁ ? ଯାହା ଶବରମାନଙ୍କର ନିତିଦିନର ଖାଦ୍ୟ, ତାହା କ’ଣ ମହାତ୍ମାଙ୍କର ଖାଦ୍ୟ ହେବାର ଯୋଗ୍ୟ ନୁହେଁ-? ଶବରମାନେ ଫଳଗୁଡ଼ିକୁ ଭେଟି ଦେଇ ସେଦିନ କେଡ଼େ ଖୁସିରେ ଘରକୁ ଫେରିଥିବେ । ସେମାନଙ୍କର ପ୍ରଦତ୍ତ ଫଳଗୁଡ଼ିକୁ ମହାତ୍ମା ନିଶ୍ଚୟ ଭୁଞ୍ଜିଥିବେ ବୋଲି କଳ୍ପନା କରୁ କରୁ ସେମାନଙ୍କର ସରଳ ମନ ପ୍ରକୃତରେ କେଡ଼େ ଫୁଲି ଉଠିଲା ପରି ଲାଗିଥିବ । ମାତ୍ର, ମହାତ୍ମା ତଥାପି ଉପାସ ରହିଲେ, କିଛି ଖାଇଲେ ନାହିଁ । ସେମାନଙ୍କର ଭେଟି ଦେଇଥିବା ଦରବକୁ ସିଏ ଗ୍ରହଣ କରି ମଧ୍ୟ ଗ୍ରହଣ କଲେ ନାହିଁ,–ବାଣପୁରର କେଉଁମାନେ କାହିଁକି ଏପରି ଏକ ଗପ ଯୋଡ଼ି ମହାତ୍ମାଙ୍କ ନାଆଁରେ ପ୍ରଚାର କଲେ,–ସତ୍ୟବ୍ରତ ସେକଥା ମୋଟେ ବୁଝି ପାରିଲାନାହିଁ ।

Image

 

ଚାଳିଶି ବର୍ଷ ତଳର କଥା

 

୧୯୪୫ ମସିହା ଅଗଷ୍ଟ ମାସରେ ଜାପାନ ଦେଶର ଦୁଇଟି ସହରରେ ଆମେରିକା ସରକାରଙ୍କ ତରଫରୁ ଦୁଇଟି ବୋମା ପକା ହୋଇଥିଲା । ଏଗୁଡ଼ିକୁ ଅଣୁବୋମା ବୋଲି କୁହାଯାଏ-। ଏଥିପୂର୍ବରୁ ପୃଥିବୀର ଆଉ କୌଣସି ଯୁଦ୍ଧରେ ଏଭଳି ଏକ ଅସ୍ତ୍ରର ବ୍ୟବହାର କରାଯାଇନଥିଲା । ପ୍ରଥମ ବୋମାଟି ଜାପାନର ହିରୋଶିମା ସହର ଉପରେ ପକାହେଲା ଓ ଦ୍ଵିତୀୟଟି ଆଉ ଗୋଟିଏ ସହର ନାଗାସାକି ଉପରେ । ଯଥାକ୍ରମେ ଅଗଷ୍ଟ ଛଅ ଓ ନଅ ତାରିଖରେ ଏହି ବୋମା ଦୁଇଟିକୁ ଉଡ଼ାଜାହାଜରୁ ଦୁଇ ସହରର ଅଧିବାସୀମାନଙ୍କ ଉପରେ ପକା ଯାଇଥିଲା । ଜାପାନକୁ ଯୁଦ୍ଧରେ ପରାସ୍ତ କରିବା ଉଦ୍ଦେଶ୍ୟରେ ଯେ ଏପରି ଗୋଟିଏ ଅଭିନବ ନୂତନ ଅସ୍ତ୍ରର ବ୍ୟବହାର କରାଗଲା, ସେକଥା ଆଦୌ ନୁହେଁ । ଜାପାନ ସରକାର ସେତେବେଳକୁ ପରାଜୟ ସ୍ଵୀକାର କରି ଆତ୍ମସମର୍ପଣ କରିବାର ପ୍ରସ୍ତାବ ଦେଇ ସାରିଥିଲେ । ତଥାପି ସାମରିକ ବୈଜ୍ଞାନିକମାନେ ସରକାରଙ୍କୁ ରାଜି କରାଇ ଏହି ବୋମା ପ୍ରୟୋଗ କରାଯିବାର ବରାଦ କରିଥିଲେ-। ଏହି ନୂଆ ବୋମାଟିର ପ୍ରୟୋଗଦ୍ଵାରା ପ୍ରକୃତ ଫଳାଫଳ କ’ଣ ହେଉଛି ବା ନହେଉଛି, ତାହାର ଏକ ପ୍ରତ୍ୟକ୍ଷ ପ୍ରମାଣ ବୋମା ତିଆରି କରୁଥିବା ବୈଜ୍ଞାନିକମାନଙ୍କୁ ମିଳିଯିବ ବୋଲି ତାହାକୁ ପକା ହୋଇଥିଲା । ଏହି ପ୍ରମାଣମାନ ମିଳିବାଦ୍ଵାରା ତାହା ଭବିଷ୍ୟତରେ ଆହୁରି ଅଧିକରୁ ଅଧିକ ଶକ୍ତିଶାଳୀ ବୋମା ତିଆରି କରିବାରେ ସାହାଯ୍ୟ କରିବ ବୋଲି ଭାବି ବୈଜ୍ଞାନିକମାନେ ତାହାର ପ୍ରୟୋଗ ହେଉ ବୋଲି ଇଚ୍ଛା କରିଥିଲେ । ସରକାର ବି ଏଥିରେ କାହିଁକି ରାଜି ନହୋଇଥାନ୍ତେ ।

 

ଦୁଇଟିଯାକ ପରମାଣୁ ବୋମା ପଡ଼ିବା ଫଳରେ ଫଳାଫଳ କ’ଣ ହେଲା, ତାହା ପୃଥିବୀଯାକର ଲୋକେ ଜାଣିବା ନିମନ୍ତେ ବର୍ତ୍ତମାନ ସଂଖ୍ୟାରେ ହିସାବ ହୋଇ ଥୁଆ ହୋଇଛି । ଏହି ବୋମାରେ ହିରୋଶିମା ସହରରେ ଲକ୍ଷେ କୋଡ଼ିଏ ହଜାର ମଣିଷ ମରିଥିଲେ । ନାଗାସାକି ସହରରେ ଅଠସ୍ତରୀ ହଜାର ମଣିଷଙ୍କର ପ୍ରାଣହାନି ଘଟିଥିଲା । ମାତ୍ର ବୋମାଟିକୁ ପକାଇବାର ଅଭିଯାନରେ ଜଣେ ବୀର ରୂପେ ବରଣ କରି ଯାହାକୁ କେଡ଼େ ସନ୍ତର୍ପଣରେ ଜାପାନ ପଠା ହୋଇଥିଲା, ତାଙ୍କର ଅବସ୍ଥା କ’ଣ ହେଲା ? ସେହି କୁଖ୍ୟାତ ଏବଂ ଅଶୁଭ ଖଳ ଅଭିଯାନର ଉଡ଼ାଜାହାଜ–ଚାଳକମାନଙ୍କ ଭିତରୁ ଜଣେ ହେଉଛନ୍ତି ଶ୍ରୀଯୁକ୍ତ କ୍ଳଡ୍‍ ଇଥର୍‍ଲି । ଦଳଟି ଅଭିପ୍ରେତ ଦୁଇ ସହର ଉପରେ ନୂଆ ବୋମା ଦୁଇଟିକୁ ପକାଇ ଶେଷକୁ ଯେତେବେଳେ ଦେଶକୁ ଫେରିଆସିବେ, ସେତେବେଳେ ଆମେରିକାରେ ସେମାନଙ୍କୁ “ଜାତୀୟ ବୀର” ରୂପେ ସ୍ଵାଗତ କରାଯିବ ଏବଂ ସମ୍ମାନ ଦିଆଯିବ ବୋଲି ସବୁ ସଜବାଜ କରି ରଖା ଯାଇଥିଲା । ମାତ୍ର, ବୀର ହୋଇ ଫେରିବାର ସ୍ଵପ୍ନ ନେଇ ବୋମା ପକାଇବା ଲାଗି ବଛା ଯାଇଥିବା ଇଥର୍‍ଲିଙ୍କର ଭାଗ୍ୟରେ ପ୍ରକୃତରେ କ’ଣ ସବୁ ଭୋଗ କରିବାକୁ ରହିଥିଲା ?

 

ଆମେରିକାକୁ ଫେରି ଆସିବା ସମୟରେ ଇଥର୍‍ଲି ଆଉ ମୋଟେ ଆଗର ସେହି ଇଥିର୍‍ଲି ହୋଇ ରହି ନଥିଲେ । ସିଏ ଗୋଟାସୁଦ୍ଧା ବଦଳି ଯାଇଥିଲେ । ହୁଏତ ନିଜ ଆଡ଼କୁ ଅନାଇଦେବା ମାତ୍ରକେ ସେ ଆପଣାକୁ ନୁହେଁ, ଆପଣାର ଭୂତଟାକୁ ହିଁ ଦେଖୁଥିଲେ । ତାଙ୍କ ବାହାର ଚେହେରାଟି ମଧ୍ୟ ଏପରି ଭାବରେ ବଦଳି ଯାଇଥିଲା ଯେ, ତାଙ୍କର ନିକଟତମ ବନ୍ଧୁମାନେ ମଧ୍ୟ ତାଙ୍କୁ ସହଜରେ ଚିହ୍ନି ପାରୁନଥିଲେ । ସିଏ ସବୁବେଳେ ଏକାବେଳେକେ ଗୁମ୍ ମାରି ବସୁଥିଲେ, ସତେଅବା କାହାରି ସହିତ ପଦେ କଥା ହେବାକୁ ମଧ୍ୟ ଆଉ ଇଚ୍ଛା କରୁନଥିଲେ । ଯେତେଦୂର ସମ୍ଭବ, ବନ୍ଧୁମାନଙ୍କର ସଙ୍ଗ ଓ ମେଳକୁ ଏଡ଼ି ଏକୁଟିଆ ରହିବାକୁ ହିଁ ଚାହୁଁଥିଲେ । ତାଙ୍କର ଚାରିପାଖରେ ସର୍ବଦା ଏକ ଘୋର ନୈରାଶ୍ୟ ଏବଂ ଅସହାୟତାର ଭାବନା ଘୋଟି କରି ରହିଥିଲା । ୧୯୪୬ ମସିହାରେ ସିଏ ଆପଣାର ସୈନିକ-ଜୀବନରୁ ଅବସର ଗ୍ରହଣ କଲେ ଏବଂ ଟେକ୍‍ସାସ୍ ରାଜ୍ୟରେ ଅବସ୍ଥିତ ନିଜ ଜନ୍ମ ସ୍ଥାନରେ ଯାଇ ରହିଥିଲେ । ଅବସର ପରେ ଜଣେ ସୈନିକକୁ ଯେଉଁ ପେନ୍‍ସନ୍ ମିଳିବା କଥା, ତାଙ୍କର ପ୍ୟାହ୍ୟା ଅନୁସାରେ ତାଙ୍କୁ ମଧ୍ୟ ତାହା ମିଳିଥାଆନ୍ତା । ମାତ୍ର, ତାହାକୁ ଗ୍ରହଣ କରିବାକୁ ସେ ନାସ୍ତି କରି ଦେଇଥିଲେ । ଏପରିକି ଯୁଦ୍ଧବିଭାଗରେ ଚାକିରି କରୁଥିବା ସମୟରେ ସରକାରଙ୍କ ଠାରୁ ସିଏ ଯେଉଁସବୁ ପଦକ ଓ ପୁରସ୍କାର ପାଇଥିଲେ, ସେଗୁଡ଼ିକୁ ମଧ୍ୟ ସେହି ସରକାରଙ୍କୁ ଫେରାଇ ଦେବାକୁ ବାହାରିଥିଲେ, ମାତ୍ର ତାଙ୍କ ବନ୍ଧୁମାନେ ତାଙ୍କୁ ସେପରି କରିବାରୁ ନିବୃତ କରାଇ ରଖିଥିଲେ । ହିରୋଶିମାର ନାମ ଉଚ୍ଚାରଣ କରିବା ମାତ୍ରକେ ସେ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ୁଥିଲେ ଓ ଗୋଟାଏ ପ୍ରକାରର ତୀବ୍ର ଗ୍ଳାନି ଓ ଲଜ୍ଜା ତାଙ୍କୁ ଗୋଟାସୁଦ୍ଧା ଅଧିକାର କରି ନେଉଥିଲା । କୌଣସି ବ୍ୟକ୍ତି ତାଙ୍କୁ ଯୁଦ୍ଧ ସମୟରେ ଜଣେ ବୀର ବୋଲି କହିବା ମାତ୍ରକେ ସିଏ ଲଜ୍ଜାରେ ମୁହଁ ତଳକୁ କରି ଆଣୁଥିଲେ ଏବଂ ହଠାତ୍ ସେହି ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲି ଯାଉଥିଲେ । ହିରୋଶିମା ଓ ନାଗାସାକି ବିଷୟରେ ତାଙ୍କୁ କେହି କିଛି ପଚାରିବା ମାତ୍ରକେ ସିଏ ନିଜ ଭିତରେ ସତେଅବା ଏକ ଦାରୁଣ ବ୍ୟଥା ଅନୁଭବ କରୁଥିଲେ ଏବଂ ଆଦୌ କୌଣସି ଉତ୍ତର ଦେଇ ପାରୁନଥିଲେ ।

 

ତା’ପରେ ଇଥର୍‍ଲି ହିରୋଶିମା ସହରର ମେୟର୍‍ଙ୍କ ପାଖକୁ ନିୟମିତ ଭାବରେ ଟଙ୍କା ପଠାଇବାକୁ ଆରମ୍ଭ କଲେ । ଆଣବିକ ବୋମାର ବିସ୍ଫୋରଣଦ୍ଵାରା ଯେଉଁ ପିଲାମାନେ ନିଜ ବାପାମାଆଙ୍କୁ ହରାଇଥିଲେ, ସିଏ ସେହି ପିଲାମାନଙ୍କ ଲାଗି ଟଙ୍କା ପଠାଉଥିଲେ । ଏକଦା ହିରୋଶିମା ସହର କାଉନ୍‍ସିଲ୍‍ର ସଭ୍ୟମାନଙ୍କ ପାଖକୁ ସେ ଗୋଟିଏ ଚିଠି ଲେଖି ଜଣାଇଥିଲେ ଯେ, ହିରୋଶିମା ସହର ଉପରେ ବୋମା ପକାଇ ପରବର୍ତ୍ତୀ ସକଳ ବୀଭତ୍ସ ଘଟଣାକୁ ଭିଆଇବାରେ ପ୍ରକୃତରେ ତାଙ୍କର ମୁଖ୍ୟ ଭୂମିକା ରହିଛି, କାରଣ ବୋମା ନିକ୍ଷେପ କରିବା ଲାଗି ସେଇ ଚୂଡ଼ାନ୍ତ ସଙ୍କେତ ଦେଇଛନ୍ତି । ତେଣୁ, ତଦ୍ଦ୍ଵାରା ହିରୋଶିମାରେ ଯାହାକିଛି ଘଟିଲା, ସେଥିଲାଗି ତାଙ୍କ ବିଚାରରେ ସେଇ ହେଉଛନ୍ତି ପ୍ରକୃତ ଅପରାଧୀ ।

Image

ଅବସର ଗ୍ରହଣ ପରେ ଇଥର୍‍ଲି ଆଉ କୌଣସି କାର୍ଯ୍ୟ କରି ଜୀବିକା ନିର୍ବାହ କରିବେ ବୋଲି ସ୍ଥାନରୁ ସ୍ଥାନାନ୍ତର ହୋଇ କେତେ କୁଆଡ଼େ ବୁଲିଲେ । କୌଣସି ବିଶ୍ଵବିଦ୍ୟାଳୟକୁ ଯାଇ କିଛି ଅଧ୍ୟୟନ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ମାତ୍ର କୌଣସିଟିରେ ବି ସ୍ଥାୟୀ ହୋଇ ରହିପାରିଲେନାହିଁ । ଶେଷକୁ ମଦ ପିଇଲେ, ଜୁଆ ଖେଳିଲେ । ସହସ୍ର ଚେଷ୍ଟା କରି ମଧ୍ୟ ଆପଣା କୃତକର୍ମର ଭୟଙ୍କର ସ୍ମୃତିଗୁଡ଼ିକର ଦାଉରୁ ଆପଣାକୁ ରକ୍ଷା କରିପାରି ନଥିଲେ । ତାଙ୍କର ଭୟ ଭୂତ ହୋଇ ତାଙ୍କୁ ଏପରି ଭାବରେ ଗୋଡ଼ାଇବାକୁ ଲାଗିଲା ଯେ, ସିଏ ଅନେକ ସମୟରେ ନିଦ୍ରାବସ୍ଥାରେ “ପିଲାମାନେ ପୋଡ଼ି ଯାଉଛନ୍ତି, ସେମାନଙ୍କୁ ରକ୍ଷା କର, ସେମାନଙ୍କୁ ରକ୍ଷା କର” ବୋଲି ପ୍ରଳାପ ମଧ୍ୟ କରୁଥିଲେ । ୧୯୫୦ ମସିହାରେ ସେ ନିଜ ହାତରେ ନିଜର ପ୍ରାଣ ନେବାକୁ ମଧ୍ୟ ଚେଷ୍ଟା କରିଥିଲେ । ଆପଣାର ବିବେକ ପାଖରୁ ରକ୍ଷା ପାଇବାକୁ ହେଲେ ତାଙ୍କୁ ଯେକୌଣସି ନା କୌଣସି ପ୍ରକାରର ଶାସ୍ତି ପାଇବାକୁ ହେବ, ଏହିପରି ଏକ ଭାବନା ତାଙ୍କୁ ନିରନ୍ତର ଅତ୍ୟନ୍ତ ବିକଳ କରି ରଖିଥିଲା ।

 

ହିରୋଶିମାରେ ବୋମା ପକାଇ ଥିବାର ଅପରାଧକୁ ତାଙ୍କ ଦେଶର ସମାଜ ଅପରାଧ ବୋଲି ସ୍ଵୀକାର କରୁନାହିଁ, ତେଣୁ ସିଏ କୌଣସି ଶାସ୍ତି ପାଇପାରୁନାହାନ୍ତି,–ଏପରି ଅବସ୍ଥାରେ ଆମେରିକା ଦେଶରେ ଅପରାଧ ବୋଲି ସ୍ଵୀକୃତ ହେଉଥିବା ଆଉକିଛି କଲେ ଯାଇ ତାଙ୍କୁ ହୁଏତ କିଛି ଦଣ୍ଡ ମିଳିବ ଏବଂ ତେବେଯାଇ ସିଏ ନିଜର ପୂର୍ବକୃତ ଅପକର୍ମର ଏକ ପ୍ରାୟଶ୍ଚିତ କରିପାରିଲେ ବୋଲି ଅନୁଭବ କରିବେ, ଇଥର୍‍ଲି କ୍ରମେ ଏହିପରି ଚିନ୍ତା କରିବାକୁ ଲାଗିଲେ ।

 

ଏବଂ, ଜାଣିଶୁଣି ସିଏ ନାନା ଅପରାଧ କଲେ । ଗିରଫ ହେଲେ; ବିଚାରାଳୟରେ ତାଙ୍କର ବିଚାର ହେଲା । ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ କାରାଦଣ୍ଡର ଆଦେଶ ମଧ୍ୟ ହେଲା । ତା’ପରେ, ତାଙ୍କର ମସ୍ତିଷ୍କବିକୃତି ଘଟିଛି ବୋଲି ଘୋଷଣା କରାଯାଇ ତାଙ୍କୁ ଜେଲରୁ ମୁକ୍ତ କରି ଚିକିତ୍ସା ଲାଗି ଗୋଟିଏ ପାଗଳାଖାନାକୁ ପଠାଇ ଦିଆଗଲା । ସେତେବେଳେ ତାଙ୍କର ଜୀବନକାହାଣୀକୁ ନେଇ ଗୋଟିଏ ଫିଲ୍ମ୍‍ ତିଆରି କରିବା ସକାଶେ ପିଲ୍ମ୍‍ବାଲା ତାଙ୍କୁ ଏକଲକ୍ଷ ଡଲାର୍ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ସିଏ ପ୍ରସ୍ତାବଟିକୁ ଗ୍ରହଣ କରିନଥିଲେ । ସେହି ପାଗଳଖାନାରେ ହିଁ ତାଙ୍କ ଜୀବନର ଅବସାନ ଘଟିଲା ।

Image

 

ବିଚରା ଠାକୁରମାନେ

 

ମେଢ଼ ଉପରେ ଦେବୀମାନେ କେଡ଼େ ଦର୍ପୋଜ୍ଜ୍ଵଳ ହୋଇ ଦେଖା ଯାଉଥିଲେ । ଚାରିପାଖରେ ରୂପା ଭଳି ଜକ ଜକ ହେଉଥିବା କେଡ଼େ କାମ ଓ କେତେ କିସମର ସାଜ, ମୁଣ୍ଡରେ ମୁକୁଟ, ହାତରେ ଖଣ୍ଡା, ଖର୍ପର ଏବଂ ଆହୁରି କେତେକେତେ ଆୟୁଧ, ମୁଖମଣ୍ଡଳ ଉପରେ ଚଉଦ ଭୁବନର ସତେ ଅବା ସବୁଯାକ ଜ୍ୟୋତି, –ଏହିପରି କେତେ କ’ଣ ଦ୍ଵାରା ବିମଣ୍ଡିତ ହୋଇ ରହିଥିବା ରୀତିମତ ଗୋଟାଏ କେଡ଼େ ମହିମାମୟ ସାମ୍ରାଜ୍ୟ ! ରାତିଦିନ ପୂଜା ଲାଗିଥିଲା, ଝୁଣା ଧୂପରେ ଗମ୍ଭୀରାଟା ଯାକ ମହକି ରହିଥିଲା, ମନ୍ତ୍ରପାଠର ଗାମ୍ଭୀର୍ଯ୍ୟରେ ଉର୍ଦ୍ଧ୍ଵରୁ କାହାର କେତେ ଆଶୀର୍ବାଦ ଆସି ଭୂଇଁ ଉପରେ ବିଞ୍ଚି ହୋଇ ପଡ଼ିଥିଲା । ବାହାରେ ମାଳ ମାଳ ମଣିଷ, ସଂସାର ଗୋଟାକାର କୋଳାହଳ ଭିତରେ ତଥାପି କାହାର ନୀରବ ଓ ଶାନ୍ତି ସ୍ପର୍ଶଟିଏ ସତେଅବା ଚାହିଁଦେଲା ମାତ୍ରକେ ମିଳି ଯାଉଥିଲା । ଚାରିଦିନର ଯାତ ପରେ ଠାକୁରମାନେ ପାଣିରେ ପଡ଼ିଲେ-। ବର୍ଷର ଅନ୍ୟାନ୍ୟ ବହୁତ ଦିନ ପରି କାଠର ମେଢ଼ଟା ସେମିତି ଲଙ୍ଗଳା ହୋଇ ପଡ଼ି ରହିଲା । ମୁଁ ଭାବୁଥିଲି, ଠାକୁରମାନେ ଗଲେ କୁଆଡ଼େ ? ସେମାନେ ବର୍ତ୍ତମାନ କେଉଁଠାରେ ଭୋଗ ଖାଉଥିବେ-? ସେମାନଙ୍କୁ ନେଇ ଏତେ ପ୍ରକାର ମାତି ରହିଥିବା ମଣିଷମାନଙ୍କର କୋଳାହଳଗୁଡ଼ାକ ମଧ୍ୟ ବର୍ତ୍ତମାନ କୋଉଠି ରାହା ପାଉଥିବ ?

 

ପିଲାଦିନେ ଦୋଳ ସମୟରେ ଗାଆଁ ମଣ୍ଡପରେ ଠାକୁର ଝୁଲଣରେ ଝୁଲୁଥିଲେ । ସେଦିନ ବୋଉ ଡାଲା ଡାଲା ଭୋଗ ସଜାଡ଼ି ମଣ୍ଡପକୁ ପଠାଉଥିଲା । ଦୋଳ ପୂର୍ଣ୍ଣମୀ ପରଦିନ ଠାକୁର ଦାଣ୍ଡ ଦାଣ୍ଡ ବୁଲି ଭୋଗ ଖାଇବାକୁ ଆସୁଥିଲେ । ସେଠାକୁ ଏକାବେଳକେ ଅନେକ ଡାଲା ଭୋଗ ସଜଡ଼ା ହୋଇ ଆସୁଥିଲା । ତହିଁ ଆରଦିନ ଆମ ଗାଆଁରେ ମେଲଣ । ଆହୁରି ପନ୍ଦରଟା ଗାଆଁରୁ ଠାକୁରମାନେ ରୋଷଣି କରି ଆମ ଗାଆଁକୁ ଆସୁଥିଲେ । କିଏ ପାଲିଙ୍କିରେ ବସି ଆସୁଥିଲେ ତ ଆଉ କିଏ ବିମାନରେ ଚଢ଼ି ଆସୁଥିଲେ । ସେଦିନ ଆଉ ଡାଲାଗୁଡ଼ାକ ମୋଟେ କୁଳୋଉ ନ ଥିଲା । ନୂଆ ମାଟି ହାଣ୍ଡିରେ ଭୋଗ ବଢ଼ା ହେଉଥିଲା । ଖାଲି ଉଖୁଡ଼ା ହୁଡ଼ୁମ, ଚଣା ଓ ଖଜା ନୁହେଁ, ଭୋଗ ହାଣ୍ଡିରେ କାକରା ଆଉ ପାଣିକାକରା ବି ବଢ଼ା ଯାଉଥିଲା ।

 

ଆମ ଗାଆଁରେ ଦୋଳମଣ୍ଡପ ଯୋଉଠି, ମହାଦେବଙ୍କର ମନ୍ଦିର ମଧ୍ୟ ସେଇଠି । ଗୋଟିଏ ବରଗଛର ଛାଇତଳେ ଏପାଖେ ମହାଦେବଙ୍କର ମନ୍ଦିର ଓ ସେ ପାଖରେ ମଣ୍ଡପ । କାର୍ତ୍ତିକ ମାସ ବଡ଼ ଓଷାକୁ ସେହି ମହାଦେବ ମନ୍ଦିରରେ ଭିଡ଼ ଜମେ । ଗଜ ଉତୁରେ । ଜାଗର ଅମାବାସ୍ୟାକୁ ଗାଆଁଯାକର ମଣିଷ ରାତି ଉଜାଗର ହୋଇ ସେଠାରେ ଦୀପ ଜଳାନ୍ତି । ଲୋକମାନଙ୍କର ଶ୍ରଦ୍ଧା ବଢ଼ାଇବା ନିମନ୍ତେ ଗୁଡ଼ିଆ ଦୋକାନ ବସେ । ପିଲାମାନେ ସେହି ଦୋକାନଗୁଡ଼ିକର ସଦ୍‍ବ୍ୟବହାର କରନ୍ତି ।

 

ଆମ ଘରେ ଦାଣ୍ଡପିଣ୍ଡା ଉପରେ ଏକଣା ଓ ଅଲଗା ହୋଇ ଯେଉଁ ବଖରାକ ଘର ତିଆରି ହୋଇଛି, ସେଇଟି ହେଉଛି ଆମର ଭାଗବତ ଘର । ବାପା ସେଠି ପ୍ରତ୍ୟେକ ଦିନ ସଞ୍ଜବେଳେ ଅଧ୍ୟାୟେ ଅଧ୍ୟାୟେ ଭାଗବତ ବୋଲନ୍ତି । ଏହିପରି ଭାବରେ ସ୍କନ୍ଧ ସ୍କନ୍ଧ ହୋଇ ତେରୋଟି ସ୍କନ୍ଧ ପୂରା ହୁଏ । ସେଦିନ ଭାଗବତ ବଢ଼ନ୍ତି । ଭାଗବତ ବଢ଼ା ହୁଏ । ରାତିଯାକ ଆମ ଦୁଆରେ ଗାନ ସଂକୀର୍ତ୍ତନ ହୁଏ । ଗାଆଁଯାକର ଲୋକ ଖାଇବାକୁ ଆସନ୍ତି । ସେଦିନ ଭାଗବତ ଗୋସାଇଁଙ୍କ ପାଖରେ ଅନ୍ନ, ଖେଚୁଡ଼ି, କ୍ଷୀରି, ଆମ୍ବିଳ ଓ ମହୁର କେତେ କ’ଣ ଭୋଗ ହୋଇ ବଢ଼ା ହୁଏ । ହାଣ୍ଡିରେ ନୁହେଁ ହଣ୍ଡାରେ । ସମସ୍ତେ ସେହି ଭୋଗକୁ ସେବନ କରନ୍ତି । ଆମେ ପିଲାମାନେ ବେକରେ ଫୁଲମାଳ ପକାଇ ରାତିଯାକ କେଡ଼େ ଆନନ୍ଦରେ ସେଠାରେ ନସର ପସର ହେଉଥାଉ । ଆମେ ସେଦିନ ସତେଅବା କେବଳ ଆମ ଭାଗବତ ଗୋସାଇଁକୁ ଛାଡ଼ିଦେଲେ ପୃଥିବୀରେ ଆଉ ଅନ୍ୟ କୌଣସି ଠାକୁରଙ୍କୁ ମୋଟେ ଦେଖିପାରୁ ନ ଥାଉ । ଭିନ୍ନ ଭିନ୍ନ ଦିନ ଓ ପର୍ବମାନଙ୍କରେ ଯେତେବେଳେ ବୋଉ ଠାକୁରମାନଙ୍କ ଲାଗି ଭୋଗ ସଜାଡ଼ୁଥାଏ, ସେତେବେଳେ ମୁଁ ଭାରି ମନଯୋଗ ସହକାରେ ବୋଉର ସବୁ କାମକୁ ଦେଖୁଥାଏ । ଆମ ଭାଗବତ ଗୋସାଇଁ ଯେ ବରଷରେ କେବଳ ଥରେ ଖାଆନ୍ତି, ସେକଥା ମୋଟେ ନୁହେଁ । କେବଳ ଭାଗବତ ବଢ଼ା ଦିନ ଖାଉଥିଲେ ଅନ୍ୟ ଦିନ ଗୁଡ଼ିକ ତାଙ୍କୁ ଉପାସରେ କଷ୍ଟ ପାଇବାକୁ ପଡ଼ୁଥାନ୍ତା । ବୋଉ କ’ଣ କେବେହେଲେ ସେପରି ଘଟିବାକୁ ଦିଅନ୍ତା ? ଅନ୍ୟ ଦିନମାନଙ୍କରେ ମଧ୍ୟ ଭାଗବତ ଗୋସାଇଁ ଭୋଗ ଖାଆନ୍ତି । ଭାଗବତ ଘରେ ଶିକାଟିଏ ଟଙ୍ଗା ହୋଇଥାଏ । ଶିକା ଉପରେ ଦୁଇଟି ହାଣ୍ଡି । ଗୋଟିଏ ହାଣ୍ଡିରେ ଉଖୁଡ଼ା ଓ ଆଉ ଗୋଟିଏ ହାଣ୍ଡିରେ ଗୁଡ଼ । ସବୁଦିନେ ପୁଝାରୀ ଭାଗବତ ଗୋସାଇଁଙ୍କର ସେବା କରିବାକୁ ଆସନ୍ତି । ସାନ ସାନ ଦୁଇଟି ପିତଳ ଥାଳିଆ ରହିଥାଏ । ପୁଝାରୀ ଉଖୁଡ଼ା ହାଣ୍ଡିରୁ ପୋଷେ ଉଖୁଡ଼ା କାଢ଼ି ଥାଳିଆରେ ବାଢ଼ି ଦିଅନ୍ତି ଓ ତୁଳସୀ ପକାଇ ପାଣି ଛଡ଼ାଇ ଦିଅନ୍ତି । ଯଦି ଦୈବାତ୍ ଉଖୁଡ଼ା ସରି ଯାଇଥାଏ, ତେବେ ଫୁଟେ ଗୁଡ଼ରେ ମଧ୍ୟ କାମ ଚଳିଯାଏ । ସେତେବେଳେ ବୋଉ ହୁଏତ ଘରର ଅନ୍ୟ କୌଣସି କାମରେ ବ୍ୟସ୍ତ ଥାଏ । ପୁଝାରୀ ବୋଉକୁ ଡାକିବା ଆବଶ୍ୟକ ବି ମନେକରନ୍ତି ନାହିଁ । ଭୋଗ ଦେଇ ଘରେ ଜଞ୍ଜିର ଲଗାଇ ଚାଲି ଯାଆନ୍ତି ।

 

ଝୁଲଣ ଅବା ମେଲଣ ଦିନ ଯେତେବେଳେ ସେହି ଦିନର ଅସଲ ଠାକୁରଙ୍କ ଲାଗି ଡାଲା କିମ୍ବା ହାଣ୍ଡି ସଜଡ଼ା ହେଉଥାଏ, ସେଦିନ ମହାଦେବଙ୍କ ପାଖକୁ ମଧ୍ୟ ଭୋଗ ଯାଏ । ମାତ୍ର, ସାନ ଡାଲାଟିରେ ଯାଏ । ଅଳପ ପରିମାଣ ହୋଇଯାଏ । ସତେଅବା କେବଳ ନିୟମ ରକ୍ଷା କରିବା ନିମନ୍ତେ ଯାଏ । ଠିକ୍ ସେହିପରି, ଜାଗର ଅଥବା ବଡ଼ଓଷା ଦିନ ମହାଦେବଙ୍କ ପାଖରେ ଏତେ ଭିଡ଼ ଜମିଥାଏ ଯେ, ଦୋଳ ସମୟରେ ମଣ୍ଡପରେ ଆସି ଝୁଲୁଥିବା ଓ ଦିନଯାକ ଭୋଗ ଖାଉଥିବା ଅନ୍ୟ ଠାକୁରଙ୍କ ପାଖକୁ ସେହିପରି ପ୍ରାୟ ନିୟମ ରକ୍ଷା କରି ସାନ ଡାଲାଟିଏ ଯାଏ । ସାନ ଡାଲାଟିରେ ଭୋଗ ଖାଉଥିବା ଠାକୁରମାନେ ସେଦିନ କେଡ଼େ ଦୁଃଖରେ ସେହି ଭୋଗକୁ ଖାଉଥିବେ, ସେହି ପିଲାମାନେ ଭାରି ସହାନୁଭୂତି ଅନୁଭବ କରୁଥିବା ପରି ମୁଁ ସେହି କଥାଟିକୁ କେତେ କେତେ ବେଳଯାଏ ଭାବିଛି । ନିଜ ମନର ସଂଶୟଟିକୁ ବେଳେବେଳେ ବୋଉ ପାଖରେ ପ୍ରକାଶ ବି କରି ପକାଏ । ତାକୁ ଗୁରେଇ ତୁରେଇ ସେହି ପ୍ରଶ୍ନଟିକୁ ପଚାରୁଥାଏ; ବୋଉ ଚିଡ଼େ । ମୁଁ କିନ୍ତୁ ଠାକୁରମାନଙ୍କର ସେହି ଦୁଃଖଦିନଗୁଡ଼ିକର କଥାକୁ ଭାବି ଭାରି ଦୁଃଖପାଏ ।

 

କାର୍ତ୍ତିକ ମାସ ସୋମବାରକୁ ଆମେ ଗାଆଁ ପାଖର ଆଉ ଗୋଟିଏ ଗାଆଁରେ ବକ୍ରେଶ୍ଵର ମହାଦେବଙ୍କ ପାଖକୁ ଯାଉଥିଲୁ । ଗାଆଁଯାକର ସ୍ତ୍ରୀଲୋକମାନେ ଏକାଠି ହୋଇ ସେଟାକୁ ଯାଉଥିଲେ । ଆମେ ପିଲାମାନେ ମଧ୍ୟ ସାଙ୍ଗରେ ଯାଉଥିଲୁ । ସୋମବାର ଦିନ ବକ୍ରେଶ୍ଵରଙ୍କ ପାଖରେ ମଣିଷମାନଙ୍କର କେତେ ଭିଡ଼, କେତେ ଭୋଗ, ଲହୁଣୀ ଆଉ ନବାତ । ମହାଦେବଙ୍କ ପଥୁରିଆ ଘରଟା ସେଦିନ ଘଷାମଜା ହୋଇ ଓ ଭୋଗଖାଇ ପ୍ରକୃତରେ କେଡ଼େ ଚହଟ ଓ ଚକ୍ ଚକ୍ ଦେଖା ଯାଉଥିଲା ! ସୋମବାର ପରେ ମଙ୍ଗଳବାର ହେଲେ ମନ୍ଦିରର ବେଢ଼ାଟା ସତେ ଯେପରି ଖାଁ ଖାଁ ଗୋଡ଼ାଉଥିଲା । ବିଚରା ମହାଦେବଙ୍କୁ ତାଙ୍କ ନିତିଦିନର ସାଧାରଣ ପଡ଼ିରେ ହିଁ ସନ୍ତୁଷ୍ଟ ରହିବାକୁ ପଡ଼ୁଥିଲା । କାର୍ତ୍ତିକ ମାସ ପରେ ଅନ୍ୟ ମାସମାନଙ୍କରେ ମଧ୍ୟ କେତେ ସୋମବାର ଆସୁଥିଲା । ସେସବୁ ଦିନମାନଙ୍କରେ ଠାକୁରେ ହୁଏତ କାର୍ତ୍ତିକ ମାସଟାକୁ କେତେ ଝୁରି ହେଉଥିବେ-

 

ଶ୍ରୀପଞ୍ଚମୀରେ ସରସ୍ଵତୀଙ୍କର ପୂଜା ହୁଏ । ଗଣେଶ ଚତୁର୍ଥୀରେ ଗଣେଶଙ୍କର । ପିଲାମାନେ ଗଣେଶ ଚତୁର୍ଥୀ ଦିନ ଗଣେଶଙ୍କର ମୂର୍ତ୍ତିକୁ ଆଣି ଥାପନା କରନ୍ତି, ଗଣେଶଙ୍କ ପାଇଁ ଭୋଗ ବାଢ଼ନ୍ତି । ସେଦିନ ସରସ୍ଵତୀଙ୍କ କଥା ହୁଏତ ମୋଟେ ମନେ ପଡ଼େନାହିଁ । ସେଦିନ ସରସ୍ଵତୀ କେଉଁଠାରେ ହୁଏତ ମୁହଁ ଲୁଚାଇ ବସି ରହୁଥିବେ । ମୋଟେ ବାହାରକୁ ବାହାରୁ ନଥିବେ-। ଠିକ୍ ସେହିପରି ସରସ୍ଵତୀ ପୂଜା ଦିନ ପିଲାମାନେ ସେହି ବାଉଳାରେ ଗଣେଶଙ୍କୁ ଗୋଟାସୁଦ୍ଧା ଭୁଲି ଯାଉଥିବେ । ସରସ୍ଵତୀଙ୍କ ପାଇଁ ବାଜା ବଜାଉଥିବେ, ତାଙ୍କୁ ଉତ୍ସବ ଘରଟି ଭିତରକୁ ବରଣ କରି ଆଣୁଥିବେ । ନଡ଼ିଆ ବାଡ଼ିଆ ହେଉଥିବ, ଭୋଗରାଗରେ ପୂଜାର ସ୍ଥାନଟି ଚହଟି ଉଠୁଥିବ । ସେଦିନ ଗଣେଶ ଦିନଯାକ ଘର ଭିତରେ ବନ୍ଦ ହୋଇ ରହୁଥିବେ । ମୋଟେ ବାହାରକୁ ବାହାରୁ ନଥିବେ । ଗଣେଶ ଚତୁର୍ଥୀକୁ ଝୁରି ହେଉଥିବେ । ହୁଏତ ସରସ୍ଵତୀଙ୍କୁ କିଞ୍ଚିତ୍ ଈର୍ଷା ମଧ୍ୟ କରୁଥିବେ-

 

ଠାକୁରମାନେ ନୁହନ୍ତି, ଏହି ମଣିଷମାନେ ହିଁ ଠାକୁରମାନଙ୍କ ଲାଗି ନିର୍ଦ୍ଦିଷ୍ଟ ଦିନଗୁଡ଼ିକୁ ବାନ୍ଧି ଦେଇଛନ୍ତି । ସବୁ ଦିନ ସବୁ ଠାକୁରଙ୍କର ଦିନ ଏବଂ ସବୁ ଠାକୁରଙ୍କର ଲାଗି ସମାନ ଆୟୋଜନରେ ଭୋଗ ଏବଂ ପୂଜା,–ଏକଥା ଏହି ମଣିଷମାନଙ୍କର ବଜେଟକୁ ଆଦୌ ପାଇବନାହିଁ ବୋଲି ସମ୍ଭବତଃ ମଣିଷମାନେ ବହୁତ ଚିନ୍ତା କରି ଏପରି କରିଛନ୍ତି । ଏବଂ ଦେବତାମାନେ କଷ୍ଟ ପାଉଛନ୍ତି ।’ ଦିନେ ଦିନଯାକ ସମ୍ମାନ ପାଇବେ ଓ ଭୋଗ ଖାଇବେ ବୋଲି ବରଷଯାକ ପ୍ରାୟ ପାସୋର ହୋଇ ରହିଛନ୍ତି ।

 

ଯଦି ମଣିଷ ଯେକୌଣସି ଠାକୁରଙ୍କ ଭିତରେ ସବୁଯାକ ଠାକୁରଙ୍କୁ ଦେଖି ପାରୁଥାନ୍ତା ବା ସବୁ ଠାକୁରଙ୍କ ଭିତରେ ମଧ୍ୟ ସତକୁ ସତ ଗୋଟିଏ ଠାକୁରଙ୍କୁ ଅନୁଭବ କରି ପାରୁଥାନ୍ତା, ତେବେ ନିଶ୍ଚୟ ଅନ୍ୟ ପ୍ରକାର ହେଉଥାନ୍ତା ? ଗୋଟିଏ ଠାକୁର ଭୋଗ ଖାଇଲେ ସମସ୍ତେ ଭୋଗ ଖାଇ ପାରୁଥାନ୍ତେ । ତେବେ, ଗୋଟିଏ ଠାକୁରଙ୍କୁ ପାଣିରେ ବିସର୍ଜନ କରିଦେଇ ଆସିଲେ କାଠମେଢ଼ଟା ମୋଟେ ଖାଲି ଖାଲି ଦିଶନ୍ତା ନାହିଁ । ପୂଜା ସରିଗଲେ ମଧ୍ୟ ଆଦୌ କିଛି ସରିଗଲା ପରି ଲାଗନ୍ତା ନାହିଁ । ସାନ ସରୋବରଟିରେ ଏଡ଼େ ବଡ଼ ଆକାଶଟାଏ ଯେପରି ପୂର୍ଣ୍ଣ ପ୍ରତିଫଳିତ ହୋଇ ରହିଥାଏ, ଠିକ୍ ସେହିପରି ହୁଅନ୍ତା । ମୂର୍ତ୍ତି ନଥିଲେ ମଧ୍ୟ ମୂର୍ତ୍ତି ରହିଥିବା ପରି ଲାଗନ୍ତା । ଆମ ଘରଟି ସବୁବେଳେ ପୂର୍ଣ୍ଣ ହୋଇରହିଥାନ୍ତା । ଆମର ଜୀବନ ମଧ୍ୟ ପୂର୍ଣ୍ଣ ହୋଇରହିଥାନ୍ତା । ଠାକୁରମାନେ ଜୀବନ୍ୟାସ ପାଇ ଆମକୁ ଏକାବେଳେକେ ଛୁଇଁ କରି ରହିଥିବା ପରି ମନେ ହେଉଥାଆନ୍ତେ ।

Image

 

ମଣିଷର ବୟସ

 

ବ୍ରହ୍ମା ଖାଲି ମଣିଷମାନଙ୍କୁ ସୃଷ୍ଟି କରିନାହାନ୍ତି, ସିଏ ସାରା ପୃଥିବୀର ଅନ୍ୟ ସବୁ ଜୀବଜନ୍ତୁଙ୍କୁ ମଧ୍ୟ ସୃଷ୍ଟି କରିଛନ୍ତି । ସାନ ଛାରପୋକଠାରୁ ଆରମ୍ଭ କରି ବୃହତକାୟ ହାତୀ ଓ ବିରାଟ ମଣିଷ ପର୍ଯ୍ୟନ୍ତ ସବୁ ହେଉଛି ସେହି ବ୍ରହ୍ମାଙ୍କର ସୃଷ୍ଟି । ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର,–ହିନ୍ଦୁମାନଙ୍କର ଏହି ତିନୋଟି ଦେବତାଙ୍କ ମଧ୍ୟରେ ଖାଲି ବ୍ରହ୍ମାଙ୍କର ହିଁ ଦାଢ଼ି ରହିଛି । ଦାଢ଼ି ହେଉଛି ଅଧିକ ବୁଦ୍ଧି ଆଉ ଅଧିକ ଜ୍ଞାନର ପ୍ରତୀକ । ଖାଲି ଭାରତବର୍ଷର ହିନ୍ଦୁ ଧର୍ମରେ ନୁହେଁ, ଏହି ପୃଥିବୀର ଆହୁରି ଅନେକ ଧର୍ମରେ । ଖ୍ରୀଷ୍ଟିଆନ୍ ଧର୍ମରେ ତ ଦାଢ଼ି ବ୍ୟତୀତ କୌଣସି ଭଗବାନଙ୍କର କଳ୍ପନା ହିଁ କରାଯାଇ ପାରିବ ନାହିଁ । ମାତ୍ର ହିନ୍ଦୁ ଧର୍ମରେ କେବଳ ବ୍ରହ୍ମାଙ୍କର ଦାଢ଼ି । ଅଭିପ୍ରାୟ ହେଉଛି, ଏହି ସୃଷ୍ଟିକୁ ଗଢ଼ି, ରଖି ଓ ପୁଣି ଥରେ ଗଢ଼ିବା ଲାଗି ତାକୁ ଭାଙ୍ଗି ଦେବାର ଏଇ ନିତ୍ୟ-କାରଖାନାରେ ବ୍ରହ୍ମାଙ୍କର ଅଭିଜ୍ଞତା ହେଉଛି ଅନ୍ୟ ସମସ୍ତଙ୍କଠାରୁ ଅଧିକ । ଯିଏ ଗଢ଼ିବ, ସୃଷ୍ଟି କରିବ, ତା’ର ଅଭିଜ୍ଞତା ସମସ୍ତଙ୍କଠାରୁ ଅଧିକ ପୋଖତ ହୋଇଥିବା ଉଚିତ ।

 

ସେହି ବ୍ରହ୍ମାଙ୍କର ସୃଷ୍ଟି ବିଷୟରେ ଏଇଟି ହେଉଛି ବହୁତ ପ୍ରାଚୀନ କାଳର କଥା । ଏକାବେଳେକେ ସେହି ପ୍ରଥମ ଯୁଗର କଥା । ବ୍ରହ୍ମା ମଣିଷ ସମତେ ସକଳ ଜୀବଙ୍କୁ ସୃଷ୍ଟି କରି ଦେଉଥିଲେ ସତ, ମାତ୍ର କାହାର ଆୟୁଷ କେତେ ହେବା ଉଚିତ, ସେହି ବିଷୟରେ କିଛି ଠିକ୍ କରିଦେଇ ନ ଥିଲେ । ତେଣୁ ସେତେବେଳେ ମରିବା ବିଷୟରେ ଆଦୌ କୋଣସି ନିୟମ ବା କଟକଣା ନଥିଲା । ସେଥିରୁ ବେଳେବେଳେ ବହୁ ବିଭ୍ରାଟ ଉପସ୍ଥିତ ହେଉଥିଲା । ଖାତାପତ୍ର ଠିକ୍ ରହିପାରୁନଥିଲା । ଜୀବମାନେ ଯେତେବେଳେ ମନ ସେତେବେଳେ ମରୁଥିଲେ । ଶେଷକୁ ଏହି ବେନିୟମଟା ସ୍ଵୟଂ ବ୍ରହ୍ମାଙ୍କୁ ମଧ୍ୟ ଭଲ ଲାଗିଲା ନାହିଁ । ସିଏ ବିଚାର କଲେ, ଆଉ ଏମିତି ଚଳିବା ଆଦୌ ଉଚିତ ହେବନାହିଁ । ଜୀବମାନଙ୍କର ବୟସରେ ଗୋଟାଏ ସୀମା ଧାର୍ଯ୍ୟ କରିଦେବାକୁ ପଡ଼ିବ । ତା’ ହେଲେ ଯାଇ ସୃଷ୍ଟିର ନିୟମ ଅନୁସାରେ ସୃଷ୍ଟିକୁ ବୁଝିବା ସମ୍ଭବ ହେବ ।

 

ଏହିପରି ମନସ୍ଥ କରି ବ୍ରହ୍ମା ଛପନ କୋଟି ଜୀବଜନ୍ତୁଙ୍କର ଏକ ମହାସଭା ଡକାଇଲେ । ମଣିଷଠାରୁ ଆରମ୍ଭ କରି ମାଙ୍କଡ଼ସା ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ହକରା ଗଲା । ଆଦେଶ ହେଲା, ସମସ୍ତେ ସଭାକୁ ଆସିବେ । ଏହି ପୃଥିବୀରେ କାହାର କେତେ ବୟସ ହେବା ଉଚିତ, ସେହି ସଭାରେ ହିଁ ସେ କଥା ସ୍ଥିର ହେବ । ଜୀବମାନେ ଆପଣା ଆପଣାର ବୟସ ଶୁଣି ଘରକୁ ଯିବେ ।

 

ହକରା ପାଇ ଜୀବମାନେ ସଭାକୁ ଆସିଲେ । ବ୍ରହ୍ମା ଆପଣାର ଭାବିଲା ଚିନ୍ତିଲା ବଡ଼ ବଡ଼ ମୁଣ୍ଡମାନଙ୍କ ସହିତ ଏକାଠି ବସି ଜୀବ ମାନଙ୍କର ବୟସ ଠିକ୍ କରିଦେଲେ । ଜୀବମାନେ ଗୋଟିକ ପରେ ଗୋଟିଏ ହୋଇ ସଭା ମଝିକୁ ଆସୁଥାନ୍ତି, ଆପଣାର ବୟସ ଶୁଣି ଓଳଗି ହୋଇ ଚାଲି ଯାଉଥାନ୍ତି । ଏମିତି ଛିଣ୍ଡୁ ଛିଣ୍ଡୁ ଛାଇ ଲେଉଟି ଗଲା । ଲେଖଣାହାରୀମାନେ ହିସାବ ମିଳାଇଲା ବେଳକୁ ଜଣା ପଡ଼ିଲା ଯେ, ଜୀବଜନ୍ତୁ ସମସ୍ତେ ଆସି ବୟସ ଶୁଣି ଗଲେଣି, ମାତ୍ର ତଥାପି ଚାରିଜଣ ଆସି ଏପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି । ମଣିଷ; ବଳଦ, କୁକୁର ଆଉ ପେଚା ଏ ପର୍ଯ୍ୟନ୍ତ ବାକୀ ରହିଛନ୍ତି । ଏମାନେ ଗଲେ କୁଆଡ଼େ ? ଏମାନଙ୍କ ସକାଶେ ତ ସଭା ଅପେକ୍ଷା କରି ରହିପାରିବ ନାହିଁ ! ତଥାପି ସେମାନେ ଆହୁରି ଘଡ଼ିଏ ଅନିସା କଲେ । ଶେଷକୁ ସେମାନଙ୍କର କୌଣସି ଦର୍ଶନ ନ ମିଳିବାରୁ ଠିକ୍ ହେଲା ଯେ, ଯେଉଁମାନେ ନ ଆସିଲେ, ସେମାନଙ୍କର ଆୟୁଷ ବିଷୟରେ ମଧ୍ୟ କୌଣସି ବିଚାର କରାଯିବ ନାହିଁ । ସମସ୍ତେ ତ ଯିବାକୁ ତରତର ହେଉଥାନ୍ତି । ତେଣୁ ମୋଟାମୋଟି ଭାଗ ବସାଇ ଦେଲାପରି ଠିକ୍ ହେଲା ଯେ, ମଣିଷ, ବଳଦ, କୁକୁର ଆଉ ପେଚା ଏମାନେ ପ୍ରତ୍ୟେକେ ଚାଳିଶି ବର୍ଷ ଲେଖାଏଁ ଆୟୁଷ ପାଇବେ ।

Image

କାମ ସାରି ବ୍ରହ୍ମା ଓ ପାରିଷଦମାନେ ଝାଡ଼ିଝଡ଼ି ହୋଇ ଉଠୁଛନ୍ତି, ଏହି ସମୟରେ ଦେଖାଗଲା ଯେ, ଯେଉଁ ଚାରିଜଣ ଏପର୍ଯ୍ୟନ୍ତ ସଭାକୁ ଆସିନଥିଲେ, ସେମାନେ ଦଉଡ଼ି ଦଉଡ଼ି ସଭା ଆଡ଼କୁ ଆସୁଛନ୍ତି । ସୃଷ୍ଟି ଯାକର ସବୁ ଜୀବ ଆସିଲେ, ନିଜନିଜର ବୟସ ଶୁଣିଲେ ଓ ବିଦା ହୋଇ ଗଲେ, ମାତ୍ର ଏମାନେ ଏତେବେଳ ଯାଏ କେଉଁଠାରେ ଥିଲେ ? ଚାରିଜଣ ଯାକ ଅତ୍ୟନ୍ତ ନେହୁରା ହୋଇ କହିଲେ, ଆଜ୍ଞା ଆମେ ଠିକ୍ ସମୟରେ ଘରୁ ବାହାରିଥିଲୁ ସତ, ମାତ୍ର ବାଟରେ ଅଟକି ରହିଗଲୁ । ବାଟରେ ମହାଦେବଙ୍କ ସହିତ ଭେଟ ହେଲା । ସିଏ ଆମକୁ ପାଚିଲା କଦଳୀ ଚକଟା ହୋଇ ତିଆରି ହୋଇଥିବା କୁସୁମା ପିଇବାକୁ ଦେଲେ । ମାତ୍ର ସେଥିରେ ପତି ପଡ଼ିଥିଲା ବୋଲି କିଏ ଜାଣିଛି ? ଆମେ ଆଉ ଆସିବୁ କ’ଣ, ନିଶା ଜୋରରେ ସେଇଠି ଶୋଇପଡ଼ିଲୁ । ନିଦ ଭାଙ୍ଗିବା ମାତ୍ରକେ ତ ଅଣନିଶ୍ଵାସୀ ହୋଇ ଦଉଡ଼ିଛୁ ।

 

ସେମାନଙ୍କୁ ସେମାନଙ୍କର ଆୟୁଷ ଶୁଣାଇ ଦିଆଗଲା । ମଣିଷ କ’ଣ କହିବ ବୋଲି ଭାବୁଥାଏ, ଏହି ସମୟରେ ବଳଦ ଆଗକୁ ବାହାରି ପଡ଼ି ଯୋଡ଼ହସ୍ତ ହୋଇ କହିଲା, ହଜୁର, ମୋ’ ଜୀବନଟା ତ ଖାଲି ବୋଝ ବୋହିବା ପାଇଁ ଓ ମାଡ଼ ଖାଇବା ପାଇଁ । ଚାଳିଶି ବର୍ଷ ଆୟୁଷ ନେଇ ମୁଁ ମୋଟେ ଚଳାଇ ପାରିବିନାହିଁ । ମୋ’ କଷଣ ମୋତେ ବଳି ଯିବ । ତେଣୁ ମୋ’ଲାଗି କୋଡ଼ିଏଟି ବରଷ ଯଥେଷ୍ଟ । ମୋତେ କେବଳ କୋଡ଼ିଏଟି ବରଷ ଦିଅନ୍ତୁ ।

 

ତା’ପରେ କୁକୁର ଗୁହାରି କରି କହିଲା, ଆଜ୍ଞା, ମୋର ଜନମ ତ କୁକୁର ଜନମ । ଚାଳିଶି ବରଷ ମୋତେ ମଧ୍ୟ ବହୁତ ହୋଇଯିବ । ପର ଦଉଡ଼ିରେ ବନ୍ଧା ହୋଇ ରହିବି, ପରନିର୍ଭର ହୋଇ ରହିବି, ଅଇଁଠା ଖାଇବି ଓ ବାରି ପିଣ୍ଡାରେ ଠିଆ ହୋଇ ଦିନ ରାତି ଖାଲି ଭୋ’ ଭୋ’ ହୋଇ ଭୁକୁଥିବି ଯେ, କେହି ସେଥିରେ କାନ ଦେଉ ନଥିବେ । ମୋ’କଥା ବିଚାରକୁ ଆସୁ, ହଜୁର; ମୋତେ କୋଡ଼ିଏଟି ବରଷ ମିଳୁ ।

 

ଜୁଳୁଜୁଳୁ ଆଖି ଓ ଗାରୁଗାରୁ କଥାରେ ପେଚା ମଧ୍ୟ ଆପତ୍ତି କରି ବାହାରିଲା । କହିଲା, ଆଜ୍ଞା, ବସି ବସି ମୋ’ର ଦିନ ହିଁ କଟିବ ନାହିଁ । ଦିନରେ ତ ମୋତେ ମୋଟେ କିଛିହେଲେ ଦିଶେ ନାହିଁ, ରାତିରେ ମଧ୍ୟ ଗୋଟିଏ ଡାଳକୁ ଆଶ୍ରା କରି ପଡ଼ି ରହିବାକୁ ହୁଏ । ମୁଁ ଅଛି ବୋଲି ମୁଁ ନିଜେ ବି ଅନେକ ସମୟରେ ଜାଣି ପାରେନାହିଁ । ଚାଳିଶ ବର୍ଷର ଆୟୁଷ ମୋ’ଲାଗି ଦଣ୍ଡଭୋଗ ପରି ହେବ । ମୋତେ କୋଡ଼ିଏଟି ବରଷ ଦିଅନ୍ତୁ । ମୋ’ ଉପରେ ଦୟା କରନ୍ତୁ ଆଜ୍ଞା ।

 

ମାତ୍ର, ଯେତେବେଳେ ଖାତାରେ ଚଢ଼ି ସାରିଛି, ସେତେବେଳେ ସେଥିରେ ପୁଣି ଏପାଖ ସେପାଖ କିପରି ହୋଇପାରିବ ? ଶହେ ଷାଠିଏକୁ ଶହେ କଲେ ଗାଏମୋଟ ବି ବଦଳାଇବାକୁ ପଡ଼ିବ । ବ୍ରହ୍ମାଙ୍କୁ କେବଳ ଗୋଟାଏ ଉପାୟ ଦେଖାଗଲା । ସିଏ ମଣିଷକୁ ପାଖକୁ ଡାକିଲେ ଓ କହିଲେ, ବଳଦ, କୁକୁର ଆଉ ପେଚା, ଏମାନଙ୍କଠାରୁ ବର୍ତ୍ତମାନ ଯେଉଁ ଷାଠିଏଟି ବରଷ କାଟି କରି ଅଣାଯାଉଛି, ସେତକ ତୋରି ଭାଗରେ ପଡ଼ିଲା ।

 

ସେହି ଦିନଠାରୁ ମନ୍ୟୁଷ ଶହେ ବର୍ଷ ବଞ୍ଚିବାର କପାଳ ପାଇଲା । କିନ୍ତୁ ତାକୁ ପ୍ରଥମେ ଯେଉଁ ଚାଳିଶଟି ବରଷ ତା’ର ଉଚିତ ଭାଗ ରୂପେ ଦିଆ ଯାଇଥିଲା, ସେହି ଚାଳିଶି ବର୍ଷ ହିଁ ସିଏ ପ୍ରକୃତରେ ମଣିଷ ପରି ବଞ୍ଚେ । ମଣିଷ ପରି ସଂସାରକୁ ଭୁଞ୍ଜେ, ମଣିଷ ପରି ସଂସାରକୁ ଦେଖେ, ମଣିଷ ପରି ଆପଣାକୁ ବି ଦେଖେ । ଚାଳିଶିରୁ ଷାଠିଏ ଯାଏ ବଳଦ ପରି ବୋଝ ବୁହେ, ସଂସାରର ଅର୍ଥାତ୍ କୁଟୁମ୍ବର ବୋଝ ବୋହିବାରେ ଲାଗିଥାଏ । ଜଗତଯାକର ଜଞ୍ଜାଳ ବୁହେ । ତା’ପରେ ଅଶୀ ବର୍ଷ ପର୍ଯ୍ୟନ୍ତ କୁକୁର ପରି ଅନ୍ୟନିର୍ଭର ହୋଇ ରହେ, କୁକୁର ପରି ଭୁକିବାରେ ଲାଗିଥାଏ । ତା’ପରେ ଯିଏ ତଥାପି ବଞ୍ଚି ରହେ, ସିଏ ପେଚା ପରି ବଞ୍ଚି ରହିଥାଏ । ଅଥର୍ବ ମେଞ୍ଚାଟାଏ ହୋଇ ପଡ଼ିଥାଏ, କେବଳ ତା’ ଆଖି ଦୁଇଟା ମଲା ବଳଦର ଆଖି ପରି ଜୁଳୁଜୁଳୁ ଦେଖା ଯାଉଥାଏ ।

Image

 

କାହିଁକି ?

 

ମୋର ମାଆ ମୋତେ କେତେ ନା କେତେ ଭଲ ପାଆନ୍ତି । ମୋ’ ପାଇଁ ଭଲ ଦରବମାନ କରି ମୋତେ ଖାଇବାକୁ ଦିଅନ୍ତି । ମୁଁ ଇସ୍କୁଲରୁ ଘରକୁ ନଫେରିବା ପର୍ଯ୍ୟନ୍ତ ମୋ’ର ବାଟକୁ ଚାହିଁ ବସିଥାନ୍ତି । ମାତ୍ର, ଅନ୍ୟ ଯେକୌଣସି ପିଲାଙ୍କୁ ସିଏ ଠିକ୍ ସେହିପରି ଭଲ ପାଇ ପାରନ୍ତିନାହିଁ କାହିଁକି ?

 

ମୁଁ ଥାକୁଲା ଥାକୁଲି ହୋଇ ଦିଶୁଥାଏ ବୋଲି ମାଆଙ୍କ ଗୋଡ଼ ଆନନ୍ଦରେ ସତେଅବା ତଳେ ଲାଗେନାହିଁ । ମାତ୍ର, ଅନ୍ୟ ପିଲାଟାଏ, ସିଏ ଆମ ପଡ଼ିଶା ଘରର, ଏପରିକି ମୋର ଜଣେ ସାଙ୍ଗପିଲା ହୋଇଥାଉ ପଛକେ, ସିଏ ଦେଖିବାକୁ ଟିକିଏ ମୋଟା ହୋଇଥିଲେ ତାକୁ ଦେଖିଲା ମାତ୍ରକେ ମୋ’ ମାଆଙ୍କର ଦିହ ନସହିଲା ପରି ମନେହୁଏ କାହିଁକି ? ଯଦି ମୋତେ ଆଉକିଏ ଦୃଷ୍ଟି ପକାଇ ମୋଟା ବୋଲି କହିଦେଲା, ତେବେ ସେକଥା ଶୁଣି ମୋ’ ମାଆଙ୍କର ମନ କେଡ଼େ ଦୁଃଖ ହୋଇଯାଏ । ମାତ୍ର ମୋ’ରି ସହିତ ଏକାଠି ଖେଳୁଥିବା ମୋ’ର ସାଙ୍ଗ ପିଲାଟିଏ ଯଦି ମୋ’ଠାରୁ ଟିକିଏ ଅଧିକ ମୋଟା ହୋଇଥାଏ, ତେବେ ମୋ’ର ମାଆ ତାକୁ ଦେଖି ମନେମନେ “ଏଇଟା କେଡ଼େ ମୋଟା ହୋଇଛି” ବୋଲି କାହିଁକି କହି ପକାନ୍ତି ?

 

ପୃଥିବୀରେ ନିଜର ଭାଷାକୁ ସମସ୍ତେ ଭଲ ପାଆନ୍ତି । ମାତ୍ର ଅନ୍ୟ ଭାଷାକୁ ଘୃଣା କରନ୍ତି କାହିଁକି ? ନିଜର ଦେଶକୁ ସମସ୍ତେ ଭଲ ପାଆନ୍ତି । ଆପଣାର ଦେଶଟିକୁ ଭଲ ପାଇବା ଲାଗି ସମସ୍ତଙ୍କୁ ପିଲାଦିନରୁ ଶିକ୍ଷା ଦିଆ ଯାଇଥାଏ । ମାତ୍ର; ନିଜ ଦେଶଟିକୁ ଭଲ ପାଇବାକୁ ହେବ ବୋଲି ମଣିଷ ଆଉଗୋଟାଏ ଦେଶକୁ ଘୃଣା କରେ କାହିଁକି ? ଅନ୍ୟ ସବୁଯାକ ଦେଶକୁ ଛୋଟ ବା ସାନ ବୋଲି ନକହିଲେ ଅନେକ ମଣିଷ ନିଜ ଦେଶକୁ ସତକୁ ସତ ମୋଟେ ଭଲ ପାଇ ହେବନାହିଁ ବୋଲି ମନେ କରନ୍ତି କାହିଁକି ?

Image

ଆମ ପୃଥିବୀରେ ଅନେକ ପ୍ରକାରର ଧର୍ମ ଅଛି । ପ୍ରତ୍ୟେକ ମଣିଷ କୌଣସି ନା କୌଣସି ଧର୍ମରେ ଜନ୍ମଗ୍ରହଣ କରିଛନ୍ତି । ସେହି ଧର୍ମକୁ ସେମାନେ ନିଜର ଧର୍ମ ବୋଲି କହୁଛନ୍ତି । ସବୁ ଧର୍ମରେ ଠାକୁରମାନେ ଅଛନ୍ତି । ସେହି ଠାକୁରମାନଙ୍କ ସକାଶେ ସୁନ୍ଦର ସୁନ୍ଦର ଦେଉଳସବୁ ତିଆରି ହୋଇଛି । ଯେଝା ଯେଝା ଠାକୁରମାନଙ୍କୁ ଯିଏ ପୂଜା କରୁଛନ୍ତି । ମାତ୍ର, ମୋ’ ନିଜର ଧର୍ମ ହେଉଛି ସବୁ ଧର୍ମ ଅପେକ୍ଷା ବଡ଼ ଓ ମୋ’ ଧର୍ମର ଠାକୁରମାନେ ଅନ୍ୟ ସବୁ ଧର୍ମର ଠାକୁରମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି କେତେକ ମଣିଷ ଅନେକ ସମୟରେ କାହିଁକି ଭାବିଥାନ୍ତି ? ମୋ’ ଧର୍ମର ଠାକୁର ସମସ୍ତଙ୍କର ଆଗରେ ଅଲବତ ଯିବେ ବୋଲି କାହିଁକି ଜିଦ ଧରନ୍ତି ? ଆଉ କାହାକୁ ଧର୍ମ ମୋ’ ଧର୍ମଠାରୁ ଛୋଟ ବୋଲି କହି ଏତେ ଗର୍ବ କରନ୍ତି କାହିଁକି ? ନିଜ ଧର୍ମର ରଥଟା ସବୁ ରଥଠାରୁ ବଡ଼ ବୋଲି ସେମାନେ କାହିଁକି ଏଡ଼େ ଗର୍ଜନ କରି କହୁଥାନ୍ତି ?

 

ଆମର ଏହି ପୃଥିବୀରେ କେତେ ଧନସମ୍ପତ୍ତି ଭର୍ତ୍ତି ହୋଇ ରହିଛି । କେତେ ଜ୍ଞାନ ଓ ବିଜ୍ଞାନ ଭର୍ତ୍ତି ହୋଇ ରହିଛି । ସେହି ଧନସମ୍ପଦ ଓ ଜ୍ଞାନବିଜ୍ଞାନ ପୃଥିବୀରେ ବର୍ଷକୁ ବର୍ଷ ଅଧିକରୁ ଆହୁରି ଅଧିକ ହେବାରେ ଲାଗିଛି । ତଥାପି ପୃଥିବୀରେ ଅଧେ ମଣିଷ ପେଟପୂରା କାହିଁକି ଖାଇବାକୁ ପାଉନାହାନ୍ତି ? ପୃଥିବୀର ସବୁ ପିଲା ପାଠ ପଢ଼ିବା ନିମନ୍ତେ ଇସ୍କୁଲ ତିଆରି ହୋଇ ପାରୁନାହିଁ କାହିଁକି ? ଗୋଟାଏ ପାଖରେ ଖାଇବା ସାମଗ୍ରୀମାନ ପର୍ବତ ପରି ଜମା ହୋଇ ରହିଛି, ମାତ୍ର ଆଉ ଗୋଟାଏ ପାଖରେ ଥୋକାଏ ମଣିଷ ଅଧଉପାସରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି କାହିଁକି ? ପୃଥିବୀର ପ୍ରତ୍ୟେକ ପିଲାଙ୍କ ଭିତରେ ତ ଗୁଣ ରହିଛି, ପ୍ରତିଭା ରହିଛି, ଅଧିକରୁ ଅଧିକ ପାଠ ପଢ଼ିବା ସକାଶେ ଆଗ୍ରହମାନ ରହିଛି; ତଥାପି ସେମାନେ ନିଜର ଜୀବନକୁ ଗଢ଼ିବାଲାଗି ସୁଯୋଗ ଓ ସୁବିଧା ପାଉନାହାନ୍ତି କାହିଁକି ? ପ୍ରତ୍ୟେକ ମଣିଷ ଯାହା ହେବାକୁ ଇଚ୍ଛା କରୁଛି, ତାହା ସିଏ ପାଇ ପାରୁନାହିଁ କାହିଁକି ?

 

ସବୁ ମଣିଷ ରହି ପାରିବା ଲାଗି ଆମ ପୃଥିବୀରେ ତ ଯଥେଷ୍ଟ ସ୍ଥାନ ରହିଛି, ସବୁ ମଣିଷଙ୍କର ପେଟ ପୂରି ପାରିବା ଲାଗି ଯଥେଷ୍ଟ ଅନ୍ନ ମଧ୍ୟ ରହିଛି । ତଥାପି ବହୁ କୋଟି ମଣିଷଙ୍କର ରହିବାଲାଗି କୌଣସି ଘର ନାହିଁ କାହିଁକି ? ପରିଶ୍ରମ କରିବା ଲାଗି, କାମ କରି ଖାଇବାଲାଗି ଦେହରେ ବଳ ରହିଥିଲେ ମଧ୍ୟ କେତେ କୋଟି ମଣିଷ କାମ ନଥିବାରୁ କାଙ୍ଗାଳ ହୋଇ ରହିଛନ୍ତି କାହିଁକି ?

 

ଅନେକ ମଣିଷ କହନ୍ତି, କୁଆଡ଼େ ଭାଗ୍ୟରେ ଲେଖା ହୋଇ ରହି ଥିଲେ ଯାଇ ମଣିଷ ବଡ଼ ହୁଏ; ପୁଣି ସେହି ଭାଗ୍ୟରେ ନଥିଲେ ମଣିଷ ଦୀନ ଓ ହୀନ ହୋଇ ବୁଲୁଥାଏ । ସୃଷ୍ଟିକର୍ତ୍ତା ଭଗବାନ ପରା ପ୍ରତ୍ୟେକ ମଣିଷର ଭିତରେ ରହିଛନ୍ତି । ତେବେ ସିଏ ସେହି ଭାଗ୍ୟକୁ ଆଦରି ମାନି ନେଉଛନ୍ତି କାହିଁକି ? ଭିତରେ ଥାଇ ସିଏ ମଣିଷକୁ ତା’ର ଭାଗ୍ୟକୁ ବଦଳାଇ ଦେବାକୁ ଶିଖାଉ ନାହାନ୍ତି କାହିଁକି ? ନିଜର ଭାଗ୍ୟକୁ ବଦଲାଇ ପାରିବା ପାଇଁ ସିଏ ମଣିଷକୁ ଯଥେଷ୍ଟ ଶକ୍ତି ଦେଉନାହାନ୍ତି କାହିଁକି ?

 

ମଣିଷ ଭିତରେ ତ କେତେକେତେ ଭଲ ଗୁଣ ଭର୍ତ୍ତି ହୋଇ ରହିଛି । ଏହି ସଂସାରକୁ ସୁଦର ଓ ଆହୁରି ସୁନ୍ଦର କରି ଗଢ଼ିବା ଲାଗି କେତେ ଭଲ ଇଚ୍ଛା ମଧ୍ୟ ଭର୍ତ୍ତି ହୋଇ ରହିଛି । ତଥାପି ଆମର ଏହି ସଂସାରରେ ସବୁଠାରୁ ଅଧିକ ପଇସା ଯୁଦ୍ଧ ପାଇଁ ସଜବାଜ ହେବାରେ ଖରଚ ହେଉଛି କାହିଁକି ? ବୈଜ୍ଞାନିକମାନେ ଭୟଙ୍କର ଅସ୍ତ୍ରସବୁ ତିଆରି କରିବାରେ ନିଜର ଶକ୍ତି ଓ ବିଦ୍ୟାକୁ ଖରଚ କରୁଛନ୍ତି କାହିଁକି ? ଏଡ଼େ ସୁନ୍ଦର ଏହି ପୃଥିବୀକୁ ବୋମା ପକାଇ ଛାରଖାର କରିଦେବା ନିମନ୍ତେ ପୃଥିବୀର ବଡ଼ ଓ ଅଧିକମାନେ କାହିଁକି ପାଞ୍ଚ କରୁଛନ୍ତି ? ପ୍ରତ୍ୟେକେ ଏଠି କେବଳ ନିଜେ ରହିବେ ଓ ଅନ୍ୟ କାହାରିକୁ ରଖାଇ ଦେବେନାହିଁ ବୋଲି ଆଣ୍ଟ କରି ବସିଛନ୍ତି କାହିଁକି ?

 

ଏହି ପୃଥିବୀରେ ଆମେ ସମସ୍ତେ ରହିବା, ସମସ୍ତେ ମଣିଷ ପରି ରହିବା ଓ ପରସ୍ପରର ବନ୍ଧୁ ହୋଇ ରହିବା,–ପୃଥିବୀରେ ଏହି ବିଶ୍ଵାସଟିର ବୃଦ୍ଧି କରାଇ ବର୍ତ୍ତମାନର ବଡ଼ମାନଙ୍କର ଦୁର୍ବୁଦ୍ଧିକୁ ପଣ୍ଡ କରିଦେବା ଭଳି ଉପଯୁକ୍ତ ପାଠ ଆମର ଇସ୍କୁଲମାନଙ୍କରେ ପଢ଼ା ହେଉ ନାହିଁ କାହିଁକି ? କାହିଁକି ପୃଥିବୀଯାକର ପିଲାମାନେ ଏଥିପାଇଁ ଦାବୀ କରୁ ନାହାନ୍ତି ?

Image

 

ସ୍ଵର୍ଗରେ

 

ସ୍ଵର୍ଗରେ ଦେବତାମାନେ ବାସ କରନ୍ତି । ସ୍ଵର୍ଗରେ ଖାଲି ସୁଖ, ଦୁଃଖ ବୋଲି ଏତେ ଟିକିଏ ହେଲେ ନାହିଁ । ସେଠାରେ ଶୀତ ନାହିଁ କି ଖରା ନାହିଁ, ସବୁବେଳେ ଶରତ ଆଉ ବସନ୍ତ । ସ୍ଵର୍ଗରେ ସୁନ୍ଦରୀ ଅପ୍‍ସରାମାନେ ଥାଆନ୍ତି । ସେମାନେ ସବୁବେଳେ ନାଚୁଥାନ୍ତି, ମନରେ ଆନନ୍ଦ ଦେଉଥାନ୍ତି । ନନ୍ଦନକାନନ ଥାଏ, ସେଥିରେ ପାରିଜାତ ଫୁଲ ଫୁଟେ । ତା’ ବାସରେ ଦଶଦିଗ ମହକିବାରେ ଲାଗିଥାଏ ।

Image

ଭଗବାନ ସେହି ସ୍ଵର୍ଗରେ ହିଁ ବାସ କରନ୍ତି । ଭଗବାନ ଏହି ପୃଥିବୀରେ ନଥାନ୍ତି । ସେ ବେଳେବେଳେ ପୃଥିବୀକୁ ଆସନ୍ତି । ପୃଥିବୀରେ ଆପଣାର କାମ ସାରି ସିଏ ପୁନର୍ବାର ସେହି ସ୍ଵର୍ଗକୁ ଫେରି ଯାଆନ୍ତି । ସ୍ଵର୍ଗ ହେଉଛି ପୁଣ୍ୟଭୂମି, ପୁଣ୍ୟାତ୍ମାମାନଙ୍କର ଭୂମି । ପୃଥିବୀରେ ପୁଣ୍ୟ ଅର୍ଜନ କରିଥିଲେ ଯାଇ ମଣିଷମାନଙ୍କୁ ସ୍ଵର୍ଗର ସୌଭାଗ୍ୟ ମିଳିଥାଏ । ପାପୀମାନେ ସ୍ଵର୍ଗକୁ ଯାଇ ପାରନ୍ତି ନାହିଁ । ବେଶୀ ପାପ କରିଥିଲେ ସେମାନେ ନର୍କକୁ ଯାଆନ୍ତି । ନର୍କରେ ଯାଇ ଘାଣ୍ଟି ହୁଅନ୍ତି । କିମ୍ବା, ବାରବାର ଏହି ପୃଥିବୀରେ ଜନ୍ମ ହେଉଥାନ୍ତି ଓ ଘାଣ୍ଟି ହେଉଥାନ୍ତି । ହଁ, ଦେବତାମାନେ ମଧ୍ୟ ଅଭିଶାପ ପାଇଲେ ମର୍ତ୍ତ୍ୟକୁ ଆସନ୍ତି, ପୃଥିବୀରେ ଜନ୍ମ ଗ୍ରହଣ କରନ୍ତି ଓ ଦୁଃଖରେ ଘାଣ୍ଟି ହୁଅନ୍ତି । ଶାସ୍ତି ଭୋଗ କରିବାର କାଳଟି ଶେଷ ହେଲେ ଯାଇ ସେମାନେ ସଂସାରରୁ ମୁକ୍ତି ପାଆନ୍ତି, ପୁନର୍ବାର ଆପଣାର ଅସଲ ସଦନକୁ ଫେରି ଯିବାଲାଗି ଅନୁମତି ଲାଭ କରନ୍ତି ।

 

ଆମର ପୁରାଣମାନଙ୍କରେ ଯେଉଁ ଗପମାନ ରହିଛି, ସେଥିରେ ଲେଖା ହୋଇଛି ଯେ, ସଂସାରର ମହାପୁରୁଷମାନେ ସେହି ସ୍ଵର୍ଗକୁ ଯାଇପାରିବାର ଅନୁମତି ପାଇବା ନିମନ୍ତେ ହିଁ ଏଠି ସଂସାରରେ ଘୋର ତପସ୍ୟା କରନ୍ତି, ଦେହକୁ ଶୁଖାନ୍ତି, କେତେ କଷ୍ଟ ପାଆନ୍ତି । ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ସେମାନଙ୍କୁ ଦେଖା ଦିଅନ୍ତି ଓ ସେମାନଙ୍କର ମନସ୍କାମନାକୁ ପୂର୍ଣ୍ଣ କରନ୍ତି । ଆମ ସଂସାରର ଭଳିକି ଭଳି ଧର୍ମ, ବ୍ରତ, ଓଷା ଓ ଉପବାସ–ଏସବୁ ଏହି ପୃଥିବୀର ଦୁଃଖ ଓ କଷ୍ଟ ଗୁଡ଼ାକରୁ ମୁକ୍ତ ହୋଇ ସ୍ଵର୍ଗରେ ବାସ କରିବାର ପରମ ଭାଗ୍ୟ ଲାଭ କରିବା ଲାଗି ହିଁ ଭିଆଣ କରାଯାଇଛି ।

 

ଏହି ପୁରାଣମାନଙ୍କୁ ପ୍ରକୃତରେ କିଏ ଲେଖିଛି ? ସେଗୁଡ଼ିକୁ ମଣିଷମାନେ ଲେଖିଛନ୍ତି । ଯେତେ ପ୍ରାଚୀନ କାଳର ଯେଡ଼େବଡ଼ ମହାପୁରୁଷ ହେଲେ ମଧ୍ୟ ଏହି ମଣିଷମାନେ ହିଁ ପୁରାଣଗୁଡ଼ିକର ରଚନା କରିଛନ୍ତି । ସେଇ ମଣିଷମାନେ ସ୍ଵର୍ଗର ମଧ୍ୟ କଳ୍ପନା କରିଛନ୍ତି । ଦେବତାମାନଙ୍କୁ ନିଜ କଳ୍ପନା ଦେଇ ଗଢ଼ିଛନ୍ତି ଏବଂ ସେମାନଙ୍କର ନାମ ସହିତ ଯୋଡ଼ା ହୋଇ ରହିଥିବା ନାନାବିଧ କାହାଣୀକୁ ମଧ୍ୟ ଗୁନ୍ଥିକରି ଥୋଇ ଦେଇଛନ୍ତି । କେବଳ ଏହି ଭାରତବର୍ଷରେ ନୁହେଁ, ପୃଥିବୀର ଆହୁରି ଅନେକ ଦେଶରେ ପୁରାଣମାନ ଲେଖାଯାଇଛି ଓ ସେଥିରେ ସ୍ଵର୍ଗ ଓ ଦେବତାମାନଙ୍କର କଳ୍ପନା କରାଯାଇଛି । ଏହି ପୃଥିବୀରେ ଯାହା ନାହିଁ, ସେସବୁ କୁଆଡ଼େ ସେହି ସ୍ଵର୍ଗରେ ଅଛି । ଏଠି ସୁଖ ନାହିଁ, ସେଠି ସୁଖ ଅଛି, ଏଠି ସମସ୍ତେ ବୁଢ଼ା ହେଉଛନ୍ତି ଓ ମରୁଛନ୍ତି, ସେଠି କେହି ବୁଢ଼ା ହେଉନାହାନ୍ତି କି କେହି ମରୁନାହାନ୍ତି । ପୃଥିବୀର ପ୍ରାୟ ପ୍ରତ୍ୟେକ ଧର୍ମରେ ସ୍ଵର୍ଗର କଳ୍ପନା ଠିକ୍ ଏହିପରି ।

 

ଆମେ ସବୁ ଏହି ପୃଥିବୀକୁ ମୋଟେ ଦି’ଦିନ ପାଇଁ ଆସିଛୁ । ଏହି ପୃଥିବୀର ଭଙ୍ଗା ଘରେ ଆମେ ସତେ ଯେପରି ଦୁଇ ଦିନର କୁଣିଆ ହୋଇ ରହିଛୁ । ଆମର ଅସଲ ଘର ସେହି ସ୍ଵର୍ଗରେ । ତେଣୁ ଯେତେ ଶୀଘ୍ର ସମ୍ଭବ ଆମକୁ ସେଇଠାକୁ ଲେଉଟି ଯିବାକୁ ପଡ଼ିବ । ସଂସାରରେ ଏହି ଦୁଇ ଘଡ଼ିର ବନ୍ଧନରୁ ମୁକ୍ତ ହୋଇ ସ୍ଵର୍ଗକୁ ଚାଲି ଯିବାଲାଗି ପୃଥିବୀ ସାରା ବିକଳ ଭକ୍ତମାନେ କେଡ଼େ ଆକୁଳ ହୋଇ ଭଗବାନଙ୍କ ପାଖରେ ଜଣାଣ କରିଛନ୍ତି, ଭଜନ ଗାଇଛନ୍ତି । ଏହି ଦୁଃଖପୂର୍ଣ୍ଣ ସଂସାରରୁ କିପରି ବିଦାୟ ନେଇ ସେମାନେ ସ୍ଵର୍ଗରାଜ୍ୟରେ ଚିରନ୍ତନ ସୁଖର ଅଧିକାରୀ ହୋଇ ପାରିବେ, ସେଥିଲାଗି ପ୍ରାଚୀନ ଭାରତରେ ସନ୍ନ୍ୟାସୀମାନେ ହିମାଳୟ ପର୍ବତର ଉପରକୁ ଝାମ୍ପ ଦେଇ ଆତ୍ମହତ୍ୟା କରିବାର ଏକ ପରମ୍ପରା ରହିଥିଲା ବୋଲି ଏକାଧିକ ସୂଚନା ମଧ୍ୟ ମିଳିଥାଏ ।

 

ମାତ୍ର ଆମେ ଏହି କଳ୍ପନାଟିର ଅନ୍ୟପ୍ରକାରେ ମଧ୍ୟ ଅର୍ଥ କରିପାରିବା । ଭଗବାନ କେବଳ ସ୍ଵର୍ଗରେ ନାହାନ୍ତି, ଆମର ଏହି ପୃଥିବୀରେ ମଧ୍ୟ ଅଛନ୍ତି । ଭଗବାନ ହେଉଛନ୍ତି ସର୍ବବ୍ୟାପୀ, ତେଣୁ ସେ ସ୍ଵର୍ଗରେ ଅଛନ୍ତି, ମର୍ତ୍ତ୍ୟରେ ଅଛନ୍ତି । ଆମର ଏହି ପୃଥିବୀ ଭିତରେ ପୂରି ରହିଛନ୍ତି । ଭଗବାନ ଏହି ପୃଥିବୀକୁ ତିଆରି କରିଛନ୍ତି । ଆମ ପୃଥିବୀରେ ଗଛମାନଙ୍କର ଯେ ସୁନ୍ଦର ଫୁଲମାନ ଫୁଟିଛି, ଫୁଲଗୁଡ଼ିକ ଭିତରେ ଯେ ସୁଗନ୍ଧ ଭରି ରହିଛି, ଚଢ଼େଇମାନେ ଯେ ଗୀତ ଗାଉଛନ୍ତି,–ଏସବୁ କେବଳ ସେହି ଭଗବାନଙ୍କର ହିଁ କୀର୍ତ୍ତି । ଏଠି ସୂର୍ଯ୍ୟ, ଚନ୍ଦ୍ର, ଆଲୁଅ, ଆକାଶ,–ଆମେ ଇଚ୍ଛା କଲେ ସେମାନେ ଆମକୁ ଏହି କଥା କହୁଥିବାର ଅବଶ୍ୟ ଶୁଣି ପାରିବା ଯେ, ଭଗବାନ ଏଇଠି ଏହି ପୃଥିବୀରେ ମଧ୍ୟ ଅଛନ୍ତି । ସିଏ ଆମ ସମସ୍ତଙ୍କ ଭିତରେ ଅଛନ୍ତି, ପ୍ରତ୍ୟେକ ମନୁଷ୍ୟ ଭିତରେ ଅଛନ୍ତି । ଆମେ ଯେ ଏଠାରେ କେତେ ପ୍ରକାରର ସ୍ଵପ୍ନ ଦେଖିପାରୁଛୁ, ଭଲ ପାଇ ପାରୁଛୁ, ଜଣେ ଆଉ ଜଣକର ସାଥୀ ବା ସୁହୃଦ୍ ବୋଲି ଅନୁଭବ କରି ପାରୁଛୁ,–ସିଏ ପ୍ରକୃତରେ ଆମ ସମସ୍ତଙ୍କ ଭିତରେ ରହିଛନ୍ତି ବୋଲି ଏସବୁ ସମ୍ଭବ ହେଉଛି ।

Image

ଏହିପରି ଭାବରେ ଅନୁଭବ କରିବାକୁ ଆରମ୍ଭ କଲେ ତା’ପରେ ଆମ ଜୀବନର ମୋଡ଼ଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ଭାବରେ ବଦଳି ଯାଇପାରିବ । ତା’ପରେ ଆମେ କଦାପି ନିରାଶ ହୋଇ ସଂସାର ପାଖରୁ ହଟି ପଳାଇ ଯିବାକୁ ଆଦୌ ମନ କରିବାନାହିଁ । ଆମ ଭିତରୁ କେତେ ନା କେତେ ଅବିଶ୍ଵାସ ପରାଜୟ ସ୍ଵୀକାର କରି ହଟିଯିବାକୁ ଆରମ୍ଭ କରିବେ । ଆମ ଭିତରେ ଏକ ନୂତନ ବିଶ୍ଵାସ ଜନ୍ମଲାଭ କରିବ । ତା’ପରେ ଆମେ ଅନୁଭବ କରିବା ଯେ, ସୁଖ ଓ ଆନନ୍ଦ ପାଇବା ଲାଗି ଆମକୁ ଆଉ ପୃଥିବୀ ଛାଡ଼ି ସ୍ଵର୍ଗକୁ ପଳାଇଯିବାକୁ ପଡ଼ିବନାହିଁ । ଆମେ ସମସ୍ତେ ମନ କଲେ ଆମ ପୃଥିବୀ ମଧ୍ୟ ଆମ କଳ୍ପନାର ସ୍ଵର୍ଗ ପରି ସୁଖମୟ ଓ ସୁନ୍ଦର ହୋଇପାରିବ । ଆମେ ଯଦି ଘୃଣା ଛାଡ଼ି ପରସ୍ପରକୁ ଭଲ ପାଇ ପାରିବା, ସ୍ଵାର୍ଥ ଛାଡ଼ି, ପରସ୍ପର ପାଇଁ ବଞ୍ଚି ପାରିବା, ଯଦି ଆମେ ଭୟ ଛାଡ଼ି ପାରିବା, ନିଜ ଘରର ଝରକା ଓ କବାଟଗୁଡ଼ାକୁ ସର୍ବଦା ଖୋଲା ରଖି ପାରିବା, ତେବେ ଆମେ ତା’ପରେ ଏହି ପୃଥିବୀକୁ କଦାପି ଏକ ଦୁଃଖର ଆଳୟ ବୋଲି କହିବାକୁ ଇଚ୍ଛା କରିବା ନାହିଁ-। ଆମ ନିଜ ଜୀବନଟି ବଦଳିଯିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ସହିତ ଆମର ସମ୍ବନ୍ଧଗୁଡ଼ିକ ମଧ୍ୟ ବଦଳିଯିବ । ତା’ପରେ ଏହି ସଂସାରକୁ ସତ ଗୋଟିଏ ସ୍ଵର୍ଗ ପରି ଗଢ଼ିବା ଲାଗି ଆମେ ମୋଟେ ଭୟ କରିବା ନାହିଁ ।

 

ଭଗବାନଙ୍କ ରାଜ୍ୟ ଦିନେ ନା ଦିନେ ଏହି ପୃଥିବୀରେ ମଧ୍ୟ ପ୍ରତିଷ୍ଠିତ ହେବ ବୋଲି ପୃଥିବୀର କେତେକ ଧର୍ମଗ୍ରନ୍ଥରେ କୁହାଯାଇଛି । ସେତେବେଳେ ପୃଥିବୀକୁ ସ୍ଵର୍ଗ ଅବତରଣ କରି ଆସିବ । ଆମେ ମନ କଲେ ସେକଥା ହୋଇପାରିବ । ସେତେବେଳେ ସ୍ଵୟଂ ଭଗବାନ ମଧ୍ୟ ଆମରି ବନ୍ଧୁ ରୂପେ ଏହି ପୃଥିବୀ ଉପରେ ବିଚରଣ କରୁଥିବା ପରି ଅନୁଭବ ହେବ । କାଳ କାଳ ଧରି ସ୍ଵର୍ଗ ବୋଲି ଯେଉଁସବୁ କଳ୍ପନା ମନୁଷ୍ୟମାନେ କରି ଆସିଛନ୍ତି, ସେତେବେଳେ ସେସବୁ ଆଉ ମୋଟେ କରିବାକୁ ପଡ଼ିବ ନାହିଁ । ଯେଉଁ ସବୁକୁ ଆମ ନିଜ ଜୀବନରେ ଦେଖିବାକୁ ପାଇବା, ସେଗୁଡ଼ିକୁ ଦୂରର କୌଣସି ସ୍ଵର୍ଗରେ କଳ୍ପନା କରିବା ଲାଗି ଆଉ କୌଣସି ପ୍ରୟୋଜନ ରହିବନାହିଁ ।

Image

 

ଧୋବଲା ବିଣ୍ଡି

 

ସେଦିନ ବନ୍ଧୁ କହୁ କହୁ କେଡ଼େ ବଢ଼ିଆ କଥାଟାଏ କହିଲେ । ସେଇଟି ଏକାବେଳେକେ ଗଡ଼ଜାତ ଅମଳର କଥା । ଗଡ଼ଜାତମାନଙ୍କରେ ସେତେବେଳେ ରାଜାମାନେ ଶାସନ କରୁଥିଲେ । ଗଡ଼ଜାତର ପ୍ରଜାମନେ ରାଜାମାନଙ୍କୁ ସତେଅବା ଦେବତା ସମାନ ମନେ କରୁଥିଲେ । ରାଜାମାନେ ପାରିଧି କରି ଜଙ୍ଗଲକୁ ଯାଉଥିଲେ । ସିଏ ଯୋଉଥର ଯୋଉ ଅଞ୍ଚଳକୁ ପାରିଧି କରି ଯାଉଥିଲେ, ସେତେବେଳେ ଖେଦା କରିବା ଲାଗି ସେହି ଅଞ୍ଚଳରୁ ଶହ ଶହ ପ୍ରଜାଙ୍କୁ ହକାରି ଅଣା ଯାଉଥିଲା । ପାରିଧି ନାଆଁରେ ମେଳା ଲାଗି ଯାଉଥିଲା । ରଜାଙ୍କର ବଡ଼ କର୍ମଚାରୀମାନେ ମଧ୍ୟ ରାଜାଙ୍କ ସାଙ୍ଗରେ ପାରିଧିକୁ ଯାଉଥିଲେ ।

 

ଓଡ଼ିଶାରେ ସେହିପରି ଗୋଟିଏ ବଡ଼, ଗଡ଼ଜାତର କଥା । ରାଜ୍ୟର ରଜା ଥରେ ପାରିଧିକୁ ବାହାରିଥାନ୍ତି । ଖେଦାର ଆୟୋଜନ ହେଉଥାଏ । ରାଜା ଗୋଟିଏ ଛୋଟ ବଙ୍ଗଳାରେ ଯାଇ ରହିଥାନ୍ତି । ଖେଦା ସକାଶେ ଯଥେଷ୍ଟ ସଂଖ୍ୟାରେ ଲୋକମାନେ ଆସିଗଲେ ପାରିଧିରେ ବାହାରିବା କଥା । ଖେଦାର ଅର୍ଥ ହେଉଛି, ଲୋକମାନେ ଟିଣ, ଢୋଲ ପ୍ରଭୃତି ବାଡ଼େଇ ଜଙ୍ଗଲକୁ ଘେରାଉ କରି ଜନ୍ତୁମାନଙ୍କୁ ଚାରିପଟୁ ହୁରୁଡ଼ାଇ ଆଣିବାକୁ ଚେଷ୍ଟା କରିବେ । ରଜା ଯୋଉବାଟେ ଯାଉଥିବେ ସେହି ଆଡ଼କୁ ହୁରୁଡ଼ାଇ ଆଣିବାକୁ ଚେଷ୍ଟା କରିବେ । ଏହିପରି କଲେ ଜନ୍ତୁମାନେ ହୁରୁଡ଼ି ରାଜାଙ୍କର ବାଟ ଆଗରେ ଆସି ହାବୁଡ଼ିଯିବେ । ରାଜା ସାଙ୍ଗେ ସାଙ୍ଗେ ଲକ୍ଷ୍ୟ କରି ଜନ୍ତୁକୁ ଗୁଳି ମାରିବେ । ଶିକାର ସହଜ ହୋଇଯିବ । ରାଜାଙ୍କର ମନ ବି ଖୁସି ହୋଇଯିବ ।

Image

ଏହିପରି ଥରେ ଗୋଟିଏ ଜାଗାରେ ଖେଦା ପାଇଁ ଆସିଥିବା ମଣିଷମାନଙ୍କର ଭିଡ଼ ଜମିଥାଏ । ରାସ୍ତାରେ ମେଳା ମେଳା ମଣିଷ ଯାଆଆସ କରୁଥାନ୍ତି । ରାଜାମାନେ ତ ସଚରାଚର ନଅର ଭିତରେ ରହନ୍ତି । ନଅର ଭିତରେ ଥିବା କଚେରୀରୁ ରାଜ୍ୟର ଶାସନ କରନ୍ତି । ତେଣୁ ଅନେକ ପ୍ରଜା ରାଜାଙ୍କୁ ଆଗରୁ କେବେହେଲେ ଦେଖି ନଥାନ୍ତି । ଖେଦା ସମୟରେ ହିଁ ତାଙ୍କୁ ପାଖରୁ ଦେଖିବାକୁ ସୁବିଧା ମିଳେ । ନାରାୟଣଙ୍କୁ ଦେଖି ପ୍ରଜାମାନଙ୍କର ନରଜନ୍ମ ଧନ୍ୟ ହୁଏ । ରାଜାଙ୍କୁ ଦେଖିବାର ଲୋଭରେ ହିଁ ବହୁତ ପ୍ରଜା ଖେଦାକୁ ଆସିଥାଆନ୍ତି । ରାଜାଙ୍କୁ ଭେଟି ଦେବା ସକାଶେ ସାଙ୍ଗରେ ଏଇଟା ବା ସେଇଟା ଧରି ଆସିଥାନ୍ତି ।

 

ରାଜା ଦେଖିଲେ, ଗୋଟିଏ ମଣିଷ ତା’ କାନ୍ଧ ଉପରେ ଗୋଟିଏ ଗଞ୍ଜାକୁ ବସାଇ ରାସ୍ତା ଉପରେ ଯାଉଛି । ଭାରି ଛନଛନିଆ ଗଞ୍ଜାଟିଏ; ମୁଣ୍ଡ ଉପରେ ଦାଉ ଦାଉ ଦେଖା ଯାଉଥିବା ନାଲି ରଙ୍ଗର ଚୂଳ । ତା’ର ଦେହଯାକ ଧଳା, କଳା, ଖଇର, ନୀଳ ଓ ହଳଦିଆ ରଙ୍ଗର ପରଗୁଡ଼ାକ ଝାଲେରି ପରି ଝଳ ଝଳ ଦେଖା ଯାଉଥାଏ । ସତେଅବା ସିଂହର କେଶର ପରି ସୁଦର ଚକଚକ ଦିଶୁଥାଏ ।

 

ଗଞ୍ଜାଟି ରାଜାଙ୍କର ଦୃଷ୍ଟି ଆକର୍ଷଣ କଲା । ସିଏ ପାଖରେ ଥିବା ପୋଲିସ୍ ଅଫିସରଙ୍କ କାନରେ କ’ଣ ଫୁସ୍‍ଫୁସ୍ କରି କହିଲେ । ପୋଲିସ୍ ଅଫିସର ସଙ୍ଗେ ସଙ୍ଗେ ଗଞ୍ଜାଟିକୁ କାନ୍ଧରେ ବସାଇ ନେଉଥିବା ସେହି ଲୋକଟିର ପାଖକୁ ଗଲେ । ସିଏ ଗଞ୍ଜାଟିକୁ ମୂଲେଇବାକୁ ଆରମ୍ଭ କଲେ । “କେତେ ପଇସା ଦେଲେ ତୁ ଗଞ୍ଜାଟିକୁ ବିକିବୁ ?” ବୋଲି ଲୋକଟିକୁ ପଚାରିଲେ । ସେତେବେଳେ ତ ସବୁ ଜିନିଷ ଭାରି ଶସ୍ତା ଥିଲା । ହାଟର ମୂଲରେ ଗଞ୍ଜାଟି ଖୁବ୍ ବେଶୀ ହେଲେ ଗୋଟିଏ ଟଙ୍କା ହୋଇଥାନ୍ତା । ଟଙ୍କାକରୁ କଦାପି ବେଶୀ ହୋଇନଥାନ୍ତା ।

 

ଲୋକଟି ମୁଣ୍ଡ ହଲାଇଲା, ଗଞ୍ଜାଟିକୁ ବିକିବ ନାହିଁ ବୋଲି କହିଲା । ଅଫିସର ଓଲଟା ବୁଝିଲେ । ଗଞ୍ଜାଟା ବିକ୍ରୀ ହେବନାହିଁ ତ ଆଉ କ’ଣ ହେବ ? ତେବେ ଏହି ଲୋକଟା କ’ଣ ମିଛଟାରେ ସେଇଟାକୁ ଏଠିକି ନେଇ କରି ଆସିଛି ? ସିଏ ପ୍ରଥମେ ଟଙ୍କାଟିଏ ବୋଲି କହିଥିଲେ ଏଥର ଦୁଇ ଟଙ୍କା କହିଲେ । ଲୋକଟି ତଥାପି ନାହିଁ କଲା । ଦୁଇ ଟଙ୍କା ବଢ଼ି ତିନି ଟଙ୍କା ହେଲା । ତିନି ବଢ଼ି ଚାରିହେଲା, ଚାରିରୁ ପାଞ୍ଚ ହେଲା । ଲୋକଟା ତଥାପି ମଙ୍ଗୁ ନ ଥାଏ । ଗଡ଼ଜାତରେ ଅଫିସରମାନେ ଯାହା ଇଚ୍ଛା କରନ୍ତି, ପ୍ରଜାମାନଙ୍କଠାରୁ ତାହା ଛଡ଼ାଇ ନିଅନ୍ତି । ମୂଲ କିଏ କୋଉଠି ଦିଏ ? ଗୋଟାଏ ଗଞ୍ଜା ପାଇଁ ପାଞ୍ଚ ଟଙ୍କା ଯାଏ କଥା ଗଲାଣି । ଏହି ଲୋକଟା କ’ଣ ବୋକା କି ?

 

ଆଉ ଟିକିଏ ଆଗକୁ ଯିବାରୁ ଅସଲ କଥାଟା ଜଣା ପଡ଼ିଲା । ଲୋକଟି କହିଲା, “ଏହି ଗଞ୍ଜାଟିକୁ ମୁଁ ଆମ ରଜାଙ୍କୁ ଦେବି ବୋଲି ଆଣିଛି । ମୁଁ ଏଇଟିକୁ ବିକିବି ନାହିଁ । ତୁମେ ବାବୁ ମୋତେ କାହିଁକି ଲୋଭ ଦେଖାଉଛ ?”

 

ଅଫିସର ଇସାରା ଦେଇ କହିଦେଲେ ଯେ, ସେଠି ଯିଏ ପିଣ୍ଡା ଉପରେ ବସିଛନ୍ତି, ସେଇ ହେଉଛନ୍ତି ରାଜା । ରାଜା ସ୍ଵୟଂ ଗଞ୍ଜାଟିକୁ କିଣିବାକୁ ମନ କରିଛନ୍ତି । ତାଙ୍କୁ ତା’ ପାଖକୁ ପଠେଇଛନ୍ତି । ଏକଥା ଶୁଣି ଲୋକଟି ଖୁସୀ ହୋଇ ରାଜାଙ୍କ ପାଖକୁ ଚାଲିଗଲା । ତାଙ୍କ ଆଗରେ ନେଇ କୁକୁଡ଼ାଟିକୁ ରଖିଦେଲା । କୁକୁଡ଼ାର ଗୋଡ଼ ବନ୍ଧା ହୋଇଥାଏ ତେଣୁ ସେ ଆଉ କୁଆଡ଼େ ଯାଇଥାନ୍ତା ।

 

ରଜା ବି ତାକୁ ପଇସା ଯାଚିଲେ । ପୋଲିସ୍ ଅଫିସରଙ୍କ ସହିତ ତା’ର ଯାହାସବୁ କଥା ହୋଇଥିଲା, ଦୂରରୁ ସିଏ ସବୁକିଛି ଶୁଣିଥିଲେ । ଲୋକଟି ଉପରେ ସିଏ ପ୍ରକୃତରେ ଭାରି ଖୁସି ହୋଇ ଯାଇଥିଲେ । କୁକୁଡ଼ାର ମୂଲ୍ୟ ନ ନେଲେ ନାହିଁ ପଛକେ, ସେହି ଲୋକଟି ଯାହା ମାଗିବ, ତାହା ତାକୁ ଦେବାଲାଗି ସିଏ ପ୍ରସ୍ତୁତ ହୋଇଯାଇଥିଲେ । ଲୋକଟି ଆଡ଼କୁ ଅନାଇ କହିଲେ, ‘ବୁଢ଼ା, ତୋ’ର ରାଜଭକ୍ତି ଦେଖି ମୁଁ ପ୍ରକୃତରେ ଭାରି ଖୁସି । ତୁ ତୋ’ର ମନ ଯାହା ହେଉଛି ମାଗ ! ମୁଁ ଦେବାକୁ ରାଜି ଅଛି । ରାଜା ଅପେକ୍ଷା କରି ରହିଲେ ।

 

ଲୋକଟି ତଥାପି ମନା କରୁଥାଏ । ତଥାପି ରାଜି ହେଉନଥାଏ । ରଜା ବାରବାର କହୁଥାନ୍ତି, ଲେକଟି ନାହିଁ ବୋଲି କହୁଥାଏ ।

Image

ଅଫିସରମାନେ ମଧ୍ୟ ରାଜାଙ୍କ ସହିତ ପାଳି ଦେଉଥାନ୍ତି । ଶେଷକୁ ଲୋକଟି ନଇଁବାକୁ ଆରମ୍ଭ କଲା । ସିଏ ଏଥର କ’ଣ ମାଗିବ କେଜାଣି ?

 

ଗାଲିଚା ପରା ହୋଇଥାଏ । ରାଜା ତାହାରି ଉପରେ ବସିଥାନ୍ତି । ତାଙ୍କ ପାଖରେ ଖୋଳରେ ଖୋଳେ ସିଗାରେଟ୍‍ ଥୁଆ ହୋଇଥାଏ । ଲୋକଟି ଚେକା ଚେକା ଆଖିରେ ସେଇ ଆଡ଼କୁ ଅନାଇଲା ଏବଂ କହିଲା, ‘‘ବାବୁ, ଯଦି ତୁମେ ମୋତେ କ’ଣ ଦେବାକୁ ମନ କରୁଛ, ତେବେ ସେହି ଧୋବଲା ବିଣ୍ଡିରୁ ଗୋଟିଏ ଦିଅ ।”

 

ସିଏ ଆଗରୁ କେବେ ସିଗାରେଟ୍‍ ଦେଖି ନଥିଲା । ହଁ, ପିକା ଦେଖିଥିଲା, ବିଡ଼ି ବି ପିଇଥଲା । ତେଣୁ କେଡ଼େ ଆଗ୍ରହରେ ରାଜାଙ୍କୁ ଧୋବଲା ବିଣ୍ଡିଟିଏ ମାଗିଲା । ତା’ର ଜନ୍ମ ସାର୍ଥକ କଲା ।

Image

 

ନିଜର ଆପଣାର, ମୋ'ର

 

ନିଜ ଘରେ, ନିଜ ବାପମାଆ, ନିଜର ଗାଁ, ନିଜ ସ୍କୁଲ, ନିଜ ଭାଷା ଓ ନିଜର ଦେଶ,–ଏଭଳି କହିବାବେଳେ ଆମେ ଭୂଇଁ ଉପରେ କେଡ଼େ ଦମ୍ଭ ହୋଇ ଠିଆ ହୋଇଥିବା ପରି ଅନୁଭବ କରୁ । ଚେରଗୁଡ଼ିକ ଭୂଇଁ ଭିତରେ ରହିଥାଏ ବୋଲି ଗଛ ଆପଣାକୁ କେଡ଼େ ଦମ୍ଭ, କେଡ଼େ ଟାଣ ବୋଲି ଅନୁଭବ କରୁନଥ‌ିବ ! ଠିକ୍‍ ସେହିପରି, ଆମ ନିଜର ଚେରଗୁଡ଼ିକ ଯେତେ ଯେତେ ଜାଗାରେ ଯାଇ ଲଗିଛି ବୋଲି ଅନୁଭବ ହେଉଥାଏ, ସେହି ସବୁକିଛିକୁ ଆମେ ନିଜର ବୋଲି କହିଥାଉ । ଯେଉଁ ମଣିଷର ନିଜର ବୋଲି କହିବାଭଳି ଯେତେ ବେଶୀ ଥାନ ଓ ଯେତେ ବେଶୀ ମଣିଷ ରହିଥାଆନ୍ତି, ସିଏ ପ୍ରକୃତରେ ସେତେ ଅଧିକ ପରିମାଣରେ ଐଶ୍ୱର୍ଯ୍ୟଶାଳୀ । ସିଏ ସେତିକି ଅଧିକ ଭାଗ୍ୟବାନ୍ ।

 

ଯେଉଁ ଚାଷୀର ନିଜର ଜମି ଅଛି, ସେହି ଚାଷୀ ପ୍ରକୃତରେ କେଡ଼େ ଖୁସି ! ଯେଉଁ ଗୃହସ୍ଥର ନିଜର ବୋଲି କହିବାକୁ ଘର ସାଙ୍ଗକୁ ବାରିବଗିଚା ଖଣ୍ଡେ ରହିଛି, ନିଜର ଗୁହାଳରେ ଗାଈ ଗୋରୁ କେତୋଟି ଅଛନ୍ତି, ଘରେ ନିଜର ପିଲାକୁଟୁମ୍ବ ରହିଛନ୍ତି,–ସବୁଟିକୁ ମିଶାଇ ଗୋଟିଏ କଥାରେ କହିଲେ, ଯାହାର ବର୍ତ୍ତମାନ ବୋଲି କହିବାକୁ ନିଜର କିଛି ରହିଛି, ସିଏ ଆମ ସଂସାରରେ ପ୍ରକୃତରେ ଭାଗ୍ୟବାନ । ଏବଂ, ଯାହାର ବର୍ତ୍ତମାନ ରହିଛି, ତାହାର ଭବିଷ୍ୟତ ମଧ୍ୟ ରହିଛି । ବର୍ତ୍ତମାନ ଉପରେ ଛିଡ଼ା ହୋଇ ପଛକୁ ଅନିସା କଲେ ଏକ ଅତୀତ ରହିଛି । ଯାହାର ଏସବୁ କିଛି ନାହିଁ,–ଯାହାର ବର୍ତ୍ତମାନ ଭଳି ବର୍ତ୍ତମାନଟିଏ ନାହିଁ, ଏବଂ ତେଣୁ ଅତୀତ ଓ ଭବିଷ୍ୟତ ବୋଲି ଆଦୌ କିଛି ନାହିଁ, ସିଏ ଏହି ବିରାଟ ପୃଥିବୀ ଭିତରେ ରହି ମଧ୍ୟ ଭାରି ହତଭାଗ୍ୟ ହୋଇ ରହିଛି ।

 

ଯାହା ନିଜର, ତାହାହିଁ ଆପଣାର । ଯାହାକୁ ଆମେ ଭଲପାଉ, ସେହି ସବୁକିଛି ଆମକୁ ଆପଣାର ବୋଲି ଲାଗିଥାଏ । ଜୀବନକୁ ଭଲ ପାଇଲେ ଜୀବନ ଆପଣାର ଲାଗେ, ସାଙ୍ଗମାନଙ୍କୁ ଭଲ ପାଇଲେ ସାଙ୍ଗମାନେ ବି ଆପଣାର ଲାଗନ୍ତି । ଯିଏ ବାଧ୍ୟ ହୋଇ ପାଠ ପଢ଼େ; ସିଏ ପାଠକୁ ମୋଟେ ଆପଣାର କରି ପାରେନାହିଁ । ଯିଏ ବାଧ୍ୟ ହୋଇ ସ୍କୁଲକୁଯାଏ, ସିଏ ସ୍କୁଲକୁ ମୋଟେ ଆପଣାର କରିପାରେନାହିଁ । ଯିଏ ବାଧ୍ୟ ହୋଇ ଅର୍ଥାତ୍ କେବଳ ବୋଲ ମାନି ଭଲ କଥା ଶୁଣେ, ଭଲ କଥା ଶିଖେ ଅଥବା ଭଲ କାମ କରେ, ସିଏ କଦାପି ଭଲକୁ ଆପଣାର କରିପାରେନାହିଁ । ସାନବେଳେ କୁହା ମାନି ସବୁକିଛି କରୁଥାଏ ଏବଂ ବଡ଼ ହେବା ମାତ୍ରକେ ସେଗୁଡ଼ାକୁ କାଢ଼ି ଫୋଫାଡ଼ି ଦିଏ, ସବୁକିଛିକୁ ବର୍ଜନ କରି ବାହାରି ଆସେ । ଉଶ୍ଵାସ ହୋଇଗଲା ପରି ଅନୁଭବ କରେ ।

 

କାହାକୁ ଆପଣାର କରିପାରିବା ଅର୍ଥାତ୍ ତାହାରି ଆପଣାର ହୋଇ ରହିବା । ତାହାରି ପାଇଁ ଜୀବନ ବଞ୍ଚିବା ବା ତାକୁ ନିଜର ବୋଲି ଭାବିବା,–ତାହା ହେଉଛି ଏକ ଅନ୍ୟ ପ୍ରକାରର ଜୀବନ । ଜ୍ଞାନବାନ୍ ଜ୍ଞାନ ପାଇଁ ଜୀବନ ବଞ୍ଚେ, ଜ୍ଞାନକୁ ସିଏ ଆପଣାର କରି ନେଇଥାଏ । ବିଜ୍ଞାନୀମାନେ ବିଜ୍ଞାନ ପାଇଁ ଜୀବନ ବଞ୍ଚନ୍ତି, ବିଜ୍ଞାନକୁ ଆପଣାର କରି ନେଇଥାନ୍ତି । କାହାଠାରୁ କ’ଣ ପାଇବେ ବୋଲି ଯେ ଜ୍ଞାନୀ କିମ୍ବା ବିଜ୍ଞାନୀ ସେହି ପ୍ରଲୋଭନ ବା ଲାଳସାରେ ସେସବୁ କରୁଥାନ୍ତି, ସେକଥା ମୋଟେ ନୁହେଁ । ସେମାନେ ସୁଖ ଭୁଲନ୍ତି, ଆରାମ ଭୁଲନ୍ତି,–ଆପଣାର ବହୁ ସମୟ ସବୁ ଶକ୍ତି ଦେଇ ବିଜ୍ଞାନ ନାମକ ଏକ ଜଗତ ମଧ୍ୟରେ ନିରନ୍ତର କ’ଣ ନା କ’ଣର ଅନ୍ଵେଷଣ କରୁଥାନ୍ତି । ସବୁ ଦେଇ ସବୁ ପାଉଥିଲା ପରି ଅନୁଭବ କରନ୍ତି । ବିଜ୍ଞାନ ଓ ଜ୍ଞାନର ଇତିହାସରେ ପ୍ରାଚୀନ କାଳରୁ ଆମ ଏକାଳ ପର୍ଯ୍ୟନ୍ତ ଆମେ ଏପରି ବହୁ ଦୃଷ୍ଟାନ୍ତ ଦେଖିବାକୁ ପାଇବା । ଏମାନେ ଆପଣାକୁ ଦେଇ ବିଶ୍ଵର କଲ୍ୟାଣ ସାଧନ କରନ୍ତି ।

 

ଦେଶଭକ୍ତ ଦେଶକୁ ଆପଣାର କରି ନେଇଥାଏ । ଦେଶ ଲାଗି ଆପଣାକୁ ଉତ୍ସର୍ଗ କରି ରଖିଥାଏ । ଦେଶଲାଗି କଷ୍ଟ ସହେ, ସେହି କଷ୍ଟ ତାକୁ ମୋଟେ କଷ୍ଟ ଭଳି ଲାଗେନାହିଁ । ଦେଶଲାଗି ସିଏ ଯାବତୀୟ ସୁଖକୁ ଛାଡ଼ିଆସେ, ମାତ୍ର ସେହି ଛାଡ଼ିଆସିବା ମୋଟେ ଛାଡ଼ି ଆସିବା ପରି ମନେହୁଏନାହିଁ । ବରଂ ଏସବୁ କରି ସିଏ ସତେଅବା ଅଭିଳଷିତ କେଉଁ ମହାନ୍ ପ୍ରାପ୍ତିର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା ପରି ଅନୁଭବ କରୁଥାଏ । ଆବଶ୍ୟକ ହେଲେ ସିଏ ଦେଶ ନିମନ୍ତେ ଜୀବନ ଉତ୍ସର୍ଗ କରେ,–ମାତ୍ର କଦାପି ମରେନାହିଁ,–ଆପଣାକୁ ଧନ୍ୟ ମନେକରେ; ଯେଉଁ ଦେଶ ଲାଗି ସିଏ ନିଜର ଜୀବନ ବଞ୍ଚୁଥିଲା, ଏହିପରି ଭାବରେ ଜୀବନ ଉତ୍ସର୍ଗ କରି ସିଏ ତା’ ଦେଶଠାରୁ ଏକ ଅକ୍ଷୟ ସ୍ଵୀକୃତି ଲାଭ କଲା ବୋଲି ଅନୁଭବ କରେ ।

 

ଆଦର୍ଶବାନ୍ ଆଦର୍ଶ ଲାଗି ଜୀବନ ବଞ୍ଚେ । କାହାର ବୋଲ ମାନି ଯେ ସିଏ ଆଦର୍ଶଟିକୁ ବଞ୍ଚୁଥାଏ, ସେକଥା ଆଦୌ ନୁହେଁ । ସିଏ ଆପେ ଆପଣାର ଆଦର୍ଶକୁ ବାଛି ନେଇଥାଏ । ସଂସାରରେ ଅଧିକାଂଶ ମଣିଷ ଯାହାକୁ ଭଲ ଓ ଅସଲ ବୋଲି କହୁଛନ୍ତି, ତାହାରି ହାଉଆ ଅନୁସାରେ ନିଜକୁ ଖାପ ଖୁଆଇ ବଞ୍ଚିବାକୁ ମନ କରୁଥିବା ମଣିଷ କୌଣସି ଆଦର୍ଶ ଅନୁସାରେ ବଞ୍ଚିପାରେ ନାହିଁ । ଜଣେ ଆଦର୍ଶବାନ ମନୁଷ୍ୟ ହାଟକୁ ଦେଖି କଦାପି ନିଜ ଜୀବନର ନିଷ୍ପତ୍ତି କରେନାହିଁ । ଭଲ ପାଇବା ମଣିଷ କ’ଣ ବଜାରର ପାଣିପାଗକୁ ଦେଖି ତା’ପରେ ଯାଇ କାହାକୁ ଭଲ ପାଏ ? ଅଧିକାଂଶ ମଣିଷ ଯାହାକୁ ଭଲ ପାଉଛନ୍ତି ଓ ଯାହା ପଛରେ ଧାଉଁଥିବା ପରି ଦିଶୁଛନ୍ତି, ସତକୁ ସତ ଆପଣାର ହେବାକୁ ଓ ଆପଣାର କରିନେବାକୁ ଇଚ୍ଛା କରୁଥିବା ମଣିଷ ହିସାବ କରି କଦାପି ତାହାରି ପଛରେ ଧାଇଁବାକୁ ମନ କରେନାହିଁ । ଆଦର୍ଶବାନ୍ ମନୁଷ୍ୟ ଆଦର୍ଶକୁ ଭଲ ପାଏ । ଆଦର୍ଶରେ ବଞ୍ଚେ । ସେ ସେଇଥିରୁ ଆନନ୍ଦ ପାଏ । ତା’ର ଘରଟି ସର୍ବଦା ସତେଅବା ପୂରି କରି ରହିଥିବା ପରି ଅନୁଭବ କରୁଥାଏ ।

 

ଅତୀତର କାହାଣୀମାନଙ୍କରୁ ଆମେ ଏପରି ଅନେକ ମଣିଷଙ୍କର କଥା ଶୁଣିବାକୁ ପାଉ, ଯେଉଁମାନେ କି ଭଗବାନଙ୍କୁ ଭଲ ପାଉଥିଲେ ।

 

ଏପରି ମଣିଷମାନେ ସବୁ ଦେଶରେ ଥିଲେ, ସବୁ କାଳରେ ରହିଥିଲେ । ସେମାନେ ଏବେ ମଧ୍ୟ ରହିଛନ୍ତି । ସେମାନେ ଭଗବାନଙ୍କୁ ସବୁଠାରୁ ଆପଣାର ବୋଲି ଅନୁଭବ କରନ୍ତି । ସେଇ ଭଗବାନଙ୍କୁ ଭଲ ପାଆନ୍ତି । ଭଗବାନଙ୍କର ଗଢ଼ା ଏହି ସଂସାରଟିକୁ ମଧ୍ୟ ସେମାନେ ଭଲ ପାଆନ୍ତି । ସଂସାର ଲାଗି ଜୀବନ ବଞ୍ଚନ୍ତି । ଆପଣା ସକାଶେ ମୋଟେ କିଛି ହେଲେ ଲୋଡ଼ନ୍ତି ନାହିଁ-। ପ୍ରାଣୀମାନଙ୍କର ଆରତମୋଚନ ଲାଗି ଯାହା କିଛି କରନ୍ତି । ସଂସାରରେ ସେମାନଙ୍କର ପର ବୋଲି କେହି ନ ଥାନ୍ତି । ସେମାନଙ୍କର ମାନଚିତ୍ରରେ ଘୃଣା ବୋଲି କିଛି ନ ଥାଏ । ସେମାନେ ସମଗ୍ର ସଂସାରର ହୋଇ ରହିଥାନ୍ତି । ଭଗବାନଙ୍କୁ ଆପଣାର କରିନେଇ ପାରିଲେ ସଂସାରଟା ଯେ ସତକୁ ସତ ଗୋଟା ସୁଦ୍ଧା ଆପଣାର ଲାଗିପାରେ, ସେମାନେ ନିଜର ଜୀବନରେ ଓ ନିଜ ଆଚରଣରେ ସେହି କଥାଟିକୁ ପ୍ରମାଣ କରି ଦିଅନ୍ତି । ସେମାନେ ସବୁ ଧର୍ମ, ସବୁ ମତ ଓ ସବୁ ମନ୍ଦିରର ଉର୍ଦ୍ଧ୍ଵରେ ରହିଥାନ୍ତି । କୌଣସି ଧର୍ମ, ମତ ଅଥବା ମନ୍ଦିରକୁ ସାନ ବା ମନ୍ଦ ବୋଲି କହନ୍ତିନାହିଁ । ତଥାପି ସେହି ସବୁ କିଛିର ଉର୍ଦ୍ଧ୍ଵରେ ରହିଥାଆନ୍ତି ।

 

ଯେଉଁ ମଣିଷମାନେ ନିଜର ହୋଇ ପାରନ୍ତି ନାହିଁ, ଆପଣାର କରି ପାରନ୍ତି ନାହିଁ ଅର୍ଥାତ୍ କାହାରି ସକାଶେ ଜୀବନ ବଞ୍ଚି ପାରନ୍ତି ନାହିଁ, ବିଚରା ସେହିମାନେ ହିଁ “ମୋର” ବୋଲି ସେହି ଅନ୍ୟ ଖାତଟି ଭିତରେ ପଡ଼ି ଘାଣ୍ଟି ହେଉଥାନ୍ତି । ମୋ’ର ଘର, ମୋ କୁଟୁମ୍ବ, ମୋ’ର ସମ୍ପତ୍ତି, ମୋ’ର ଯଶ ଓ ଖ୍ୟାତି, ମୋ’ର ସମ୍ମାନ,–ଏହି ଭୂତମାନେ ସେମାନଙ୍କୁ ସତେଅବା ଗିଳିକରି ରହିଥାନ୍ତି । ସେମାନଙ୍କର ବିଚାର ଓ ଭାବନା ଭିତରେ ତୁଚ୍ଛା ବିଷଗୁଡ଼ାକ ଭର୍ତ୍ତି ହୋଇ ରହିଥାଏ । ଯେଉଁଠାରେ ମୋ’ର ବୋଲି କହିବାର ନିଶା ଘାରିଥାଏ, ସେଠାରେ ଅପର ପ୍ରତି ଘୃଣା ମଧ୍ୟ ଘାରିକରି ରହିଥାଏ-। ମୋ’ର ମୋ’ର ବୋଲି କହି ଏହି ମଣିଷମାନେ ସଞ୍ଚୟ ଏବଂ ସମ୍ପତ୍ତିଗୁଡ଼ାକୁ ଅଧିକରୁ ଆହୁରି ଅଧିକ କରିବାରେ ମାତିକରି ରହିଥାନ୍ତି । ଅପର ମଣିଷଙ୍କୁ ଘୃଣା କରନ୍ତି, ଅପର ଦେଶ, ଅପର ଧର୍ମ ଓ ଅପରର ଭାଷାକୁ ମଧ୍ୟ ଘୃଣା କରନ୍ତି, ହୀନ ନଜରରେ ଦେଖନ୍ତି । ଆଉ ଜଣେ ହୀନ ଓ କ୍ଷୁଦ୍ର ହୋଇ ନ ଦିଶିଲେ ସେମାନେ ସତେଅବା କେବେହେଲେ ଉଚ୍ଚ ଏବଂ ବୃହତ୍ ହୋଇ ଦେଖା ଯିବେନାହିଁ ବୋଲି ଏକ ମହାଭ୍ରମ ଭିତରେ ବୁଡ଼ିକରି ରହିଥାନ୍ତି । ନିଜର ଚାରିପାଖରେ ବାଡ଼ ପକାଇ ରଖିଥାନ୍ତି । ଗଡ଼ିଆ ଭିତରେ ଥାଇ ସାଗରକୁ ହିଂସା, କରନ୍ତି, ଅମୁହଁ । ଦେଉଳ ଭିତରେ ପ୍ରାୟ ଅଚେତନ ହୋଇ ରହି ତେଣେ ଆକାଶଟାକୁ ହିଂସା କରୁଥାନ୍ତି ।

 

ଏମାନେ ସମସ୍ତେ କ୍ଷମତାର ମଣିଷ । ଏମାନେ ଅନ୍ୟମାନଙ୍କ ଉପରେ ଶାସନ କରିବାକୁ ଇଚ୍ଛା କରନ୍ତି, ତେଣୁ ମୋଟେ କାହାରି ଆପଣାର ହୋଇ ପାରନ୍ତିନାହିଁ । ସଂସାରରେ ଏମାନଙ୍କର କେହିହେଲେ ସାଙ୍ଗ ନଥାନ୍ତି । ଏମାନେ ପରସ୍ପରକୁ ମଧ୍ୟ ସାଙ୍ଗ କରିନେଇ ପାରନ୍ତିନାହିଁ-। ଗୋଟିଏ କ୍ଷମତାର ମଣିଷ ଆଉ ଗୋଟିଏ କ୍ଷମତାର ମଣିଷକୁ ଗିଳି ପକାଇବ ବୋଲି ଧାଇଁଥାଏ-। ଏହି କ୍ଷମତାର ମଣିଷ ସଂସାରଟାକୁ ଏକା ଭୋଗ କରିବ ବୋଲି ଇଚ୍ଛା କରୁଥାଏ ।

 

କ୍ଷମତାର ମଣିଷ ଭଲ ପାଇ ପାରେ ନାହିଁ । ତହୁଁ ବଳିରୁ ତହୁଁ ବଳି ଅସ୍ତ୍ରଶସ୍ତ୍ର ପଜାଇ ରଖିବାରେ ବ୍ୟସ୍ତ ହୋଇ ରହିଥାଏ, ମାତ୍ର ଅସଲ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ମୋଟେ ଯୋଗ୍ୟ ହୋଇ ପାରେନାହିଁ । ମୋ’ର ମୋ’ର ବୋଲି କହୁଥିବା ମଣିଷମାନେ ଉଗ୍ର ହୁଅନ୍ତି, ଭୀରୁ ହୁଅନ୍ତି । ହୃଦୟହୀନ ହୁଅନ୍ତି । ଭୀରୁର ଆଦୌ କୌଣସି ହୃଦୟ ନଥାଏ । ଭୀରୁ ମଣିଷ ପୃଥିବୀରେ ଭୟ ବଢ଼ାଏ, ନିର୍ମମତା ବଢ଼ାଏ । ହୃଦୟ ଥିଲେ ଯାଇ ଏଇ ପୃଥିବୀରେ ବନ୍ଧୁତା ବଢ଼େ, ଅଭୟ ବଢ଼େ । ମଣିଷ ମଣିଷ ମଧ୍ୟରେ ଲାଗିଥିବା ଡୋର ଓ ସୂତ୍ରଗୁଡ଼ିକୁ ପ୍ରତ୍ୟକ୍ଷ ଭାବରେ ଦେଖିହୁଏ ।

Image

 

ଟୁକୁ

 

ଟୁକୁ–ଏଡ଼ିକି ବକଟେ ପିଲା । ଚାଲିଗଲା ବେଳକୁ ମନେ ହୁଏ, ଯେପରି କେବଳ ହାଡ଼ କେତେଖଣ୍ଡ ବ୍ୟତୀତ ତା’ଭିତରେ ଆଉ କିଛି ନାହିଁ । ଖଣ୍ଡେ ଅଧା ପ୍ୟାଣ୍ଟ୍‍କୁ ଖଣ୍ଡେ ଅଧା ଶାର୍ଟ୍‍; ଇଆ ରଙ୍ଗକୁ ତା’ ରଙ୍ଗଟା ଜମାରୁ ମିଶି ପାରେନାହିଁ । ଟୁକୁର ବାପା ଅଛନ୍ତି; ମାଆ ଅଛନ୍ତି, ଭାଇଭଉଣୀ ଅଛନ୍ତି, ପୁଣି ସାଙ୍ଗମାନେ ବି ଅଛନ୍ତି ।

 

ଧେଡ଼ଙ୍ଗା ଦେହଟା ଆଉ ଡଗଡଗ ଚାଲି ଯାଉଥିବା ଭାରି ତରତରିଆ କଥା । ସତେ ଯେପରି ସେହି କଥାରେ କିଏ ଡେଣା ଲଗାଇ ରଖିଛି ! ଲମ୍ବା ସରୁଆ ଦେହଟା ଉପରେ ଏଡ଼େ ବଡ଼ ଗୋଟିଏ ମୁଣ୍ଡ, ଆଉ ସେହି ମୁଣ୍ଡର ତଳକୁ ଦାଉଦାଉ ହୋଇ ଜଳୁଥିବା ଏଡ଼େ ଏଡ଼େ ଦୁଇଟା ଆଖି-। ଟୁକୁ ସେକଥା ନିଜେ କେବେହେଲେ କହିନାହିଁ ସତ, ମାତ୍ର ତାକୁ ଅନାଇଲା ବେଳେ କିମ୍ବା ତା’ସହିତ କଥା କହୁଥିବା ବେଳେ ମନେହୁଏ, ସତେ ଯେପରି ସିଏ ତୁମ ଆମ ସମସ୍ତଙ୍କୁ ସବାଆଗ କେବଳ ଏହି ଗୋଟିଏ କଥା କହିବାକୁ ଇଚ୍ଛା କରୁଛି : “ମୋ’ର ଏହି ଆଖି ଭିତର ଦେଇ ତୁମେ ମୋତେ ଦେଖ, ଏହି ଆଖି ଭିତର ଦେଇ ମୋତେ ଚିହ୍ନ ।”

 

ଟୁକୁ ବାପାଙ୍କର ସବା ସାନ ପୁଅ, ତେଣୁ ମାଆଙ୍କର ଗେହ୍ଲା ପୁଅ । ତା’ କଥା ସମସ୍ତେ ଭାବନ୍ତି । କିନ୍ତୁ ସିଏ ପ୍ରକୃତରେ କେବେହେଲେ କାହାରି କଥା ଭାବୁଥିଲା ପରି ମୋଟେ ମନେ ହୁଏ ନାହିଁ । ସିଏ ଯେପରି ସବୁବେଳେ ଆହୁରି କ’ଣ ଭାବୁଥାଏ । ବେଳ ହେଲେ ଘରକୁ ଆସେ, ବେଳ ହେଲେ ଘରୁ ବାହାରିଯାଏ; ମନ ହେଲେ ଏଇଟା ଖାଏ ଅଥବା ମନ ନହେଲେ ସେଇଟା ଖାଇବାକୁ ମନାକରେ । ଅନ୍ୟମାନେ ତାକୁ ଏଇଟା କର ସେଇଟା କର ବୋଲି କହନ୍ତି; କିନ୍ତୁ ଯେଉଁଟା କରିବାକୁ ତାକୁ ଭଲ ଲାଗିବ, ସିଏ ନିଜେ ଖୁସି ହୋଇ ଯାହା କରିପାରିବ, ସିଏ କେବଳ ତାହାହିଁ କରିବ ବୋଲି ଇଚ୍ଛା କରୁଥାଏ ।

 

ଟୁକୁ ସ୍କୁଲରେ ପାଠ ପଢ଼େ, ନିତି ଠୁକୁ ଠୁକୁ ହୋଇ ସ୍କୁଲକୁ ଯାଏ । ସ୍କୁଲରୁ ଘରକୁ ଆସେ, ଘରେ ବସି ସ୍କୁଲପାଠ ପ୍ରସ୍ତୁତ କରେ । ପରୀକ୍ଷାରେ ଭଲ ଫଳ ଦେଖାଏ । କେତେ କିଏ ତାକୁ ବାହାବାହା ବୋଲି କହନ୍ତି । କିନ୍ତୁ ଟୁକୁ ସେତିକିରେ ମୋଟେ ବୁଝେନାହିଁ । କାରଣ ସିଏ ଆହୁରି କେତେ କ’ଣ ଲୋଡ଼ୁଥାଏ । ଆହୁରି କେତେ ସ୍ଵପ୍ନ ଦେଖୁଥାଏ । ସ୍କୁଲକୁ ଯିବା ସ୍କୁଲରୁ ଆସିବା ଘରେ ବସି ସ୍କୁଲପାଠ କରିବା, ପରୀକ୍ଷା ଦେବା ଓ ପରୀକ୍ଷାରେ ଭଲ ଫଳ ଦେଖାଇବା,–ଏସବୁ କଥା ତାକୁ କେବଳ ରୁଟିନ୍ ପରି ଲାଗେ, ସତେଅବା ବାଧ୍ୟ ହୋଇ କରୁଥିବା ପରି ଲାଗେ । ସିଏ ଆହୁରି ଏଭଳି କିଛି କରିବାକୁ ଇଚ୍ଛା କରୁଥାଏ, ଯେଉଁଥିରେ କୌଣସି ବାଧ୍ୟବାଧକତା ନଥିବ, ଯାହାକୁ ଖାଲି ଖୁସି ହୋଇ କରାଯାଇପାରିବ,–ଯେଉଁଟିରେ ସେ ଆପଣାର ରାଜ୍ୟରେ ଆପଣାକୁ ହିଁ ରାଜା ବୋଲି ଅନୁଭବ କରିପାରୁଥିବ ।

 

ଏହିସବୁ କାରଣରୁ ଟୁକୁ ଆହୁରି କେତେଆଡ଼େ ମନ ଦିଏ; ସିଏ ଲେଖେ, ଲେଖକ ହେବାକୁ ଚାହେ । ସେ କବିତା ଲେଖେ, ଜୀବନୀ ଲେଖେ, ଗପ ଲେଖେ, ଭ୍ରମଣକାହାଣୀ ମଧ୍ୟ ଲେଖେ । ସେଗୁଡ଼ିକ ମଧ୍ୟରୁ ଯେଉଁଟାକୁ ତା’ମନ ମାନେ, ସିଏ ତାକୁ ଖବର କାଗଜକୁ ପଠାଏ । ତାହା ଭିତରୁ କେତେ ଛାପା ହୁଏ, କେତେ ଛପା ହୁଏନାହିଁ । ଯେତେବେଳେ ଯେଉଁଟା ଛାପା ହୁଏ, ତାକୁ ପଢ଼ୁଥିବା ସମୟରେ ଟୁକୁ ସମଗ୍ର ପୃଷ୍ଠାଟି ଉପରେ ସତେଅବା କେବଳ ନିଜ ବ୍ୟତୀତ ଆଉ କିଛିହେଲେ ଦେଖି ପାରେ ନାହିଁ । ସେଇ ଆପଣା ଆଡ଼କୁ ଅନାଇ ତା’ର ଆଖି ପାଏନାହିଁ ।

 

ଟୁକୁ ଗୀତ ଗାଏ, ଅର୍ଥାତ୍ ଗୀତ ଗାଇବାକୁ ଚେଷ୍ଟା କରେ । ସିଏ ଛବି ଆଙ୍କିବାକୁ ମଧ୍ୟ ଚେଷ୍ଟା କରେ । ଆପଣାର ଯେଉଁ ଅଂଶଟିକୁ ସେ ଆଜି ପର୍ଯ୍ୟନ୍ତ ଆବିଷ୍କାର କରି ପାରିନାହିଁ, ଗୀତ ଗାଉଥିବା ବେଳେ କିମ୍ବା ଛବି ଆଙ୍କୁଥିବା ବେଳେ ସେ ସତେଅବା ତାହାରି ସହିତ ଆପଣାକୁ ନେଇ ଗୋଟା ସୁଦ୍ଧା ମିଶାଇ ଦେଇଥାଏ ।

 

ଟୁକୁଙ୍କର କ୍ଲାସରେ ଚାଳିଶି କି ପଚାଶ ସରିକି ପିଲା । ଶିକ୍ଷକମାନେ ମଞ୍ଚ ଉପରକୁ ଆସିବା ପରି କ୍ଲାସକୁ ଆସନ୍ତି, ପାଠ ପଢ଼ାଇ ଦେଇ ଚାଲି ଯାଆନ୍ତି । ସବୁ ପିଲାମାନେ ସେମାନଙ୍କୁ ଏକା ପରି ଦିଶନ୍ତି । ପିଲାଙ୍କ ମୁଣ୍ଡଗୁଡ଼ାକୁ ସେମାନେ ବେଶ୍ ଗଣିପାରନ୍ତି । ମାତ୍ର, ସେମାନଙ୍କର ଆଖିକୁ ଦେଖି ସେମାନଙ୍କୁ ଚିହ୍ନିବାର କୌଣସି ଚେଷ୍ଟା କରନ୍ତି ନାହିଁ । ଏଥିରେ ଟୁକୁର ଅଭିମାନୀ ମନ ଭାରି ଆଘାତ ପାଏ । ସିଏ ଭାବେ, ଶିକ୍ଷକମାନେ ତାକୁ ଟୁକୁ ବୋଲି ଚିହ୍ନୁଥାନ୍ତେ । ତା’ର ଦୁଆର ପାଖକୁ ଆସି ତାକୁ ସେମାନେ ‘ଟୁକୁ, ଟୁକୁ’ ବୋଲି ଡାକି ପାରୁଥାନ୍ତେ । କିନ୍ତୁ ସେ କଥା ହୁଏନାହିଁ । ସମ୍ଭବତଃ ସେହି ଅଭିମାନରେ ତା’ର ଶିକ୍ଷକମାନେ ମଧ୍ୟ ତାକୁ ଏକା ଭଳିଆ ଦିଶନ୍ତି । ତା’ର ଆପଣାର ଭଳି ଦିଶନ୍ତି ନାହିଁ ।

 

ଟୁକୁର ଅନେକ ସାଙ୍ଗ, କ୍ଲାସ୍ ସାଙ୍ଗ, କ୍ଲାସ୍ ବାହାରର ସାଙ୍ଗ; କୋଧା ସାଙ୍ଗ, ଗେଧା ସାଙ୍ଗ, ଲେଖକ ସାଙ୍ଗ ଓ ଛବି ଆଙ୍କୁଥିବା ସାଙ୍ଗ । ସବୁରି ପାଖରେ ସିଏ ଆପଣାକୁ ଟୁକୁ ବୋଲି ପରିଚୟ ଦେବାକୁ ଇଚ୍ଛା କରେ । ସତେ ଅବା ନିଜ ଜୀବନ ବହିରୁ ଗୋଟାଏ ପୃଷ୍ଠା ଖୋଲିଦେଇ ସେମାନଙ୍କୁ ଦେଖାଇ ଦେବାକୁ ଚାହେଁ । ଯେଉଁଠି ଚିହ୍ନି ପାରୁଥିବା ଲୋକ ମିଳି ଯାଆନ୍ତି, ସିଏ ସେଇଠାରେ ଲାଖି ରହିବାକୁ ଚାହେଁ । ଯେଉଁଠାରେ ନ ମିଳନ୍ତି; ତା’ର ସେଠୁ ଛାଟିପିଟି ହୋଇ ପଳାଇ ଆସିବାକୁ ମନ ହୁଏ । ଏମିତି କେତେ କେତେ ସାଙ୍ଗ ଆସନ୍ତି କେତେ ଯାଆନ୍ତି । ତଥାପି ସାଙ୍ଗ ଖୋଜା ଚାଲିଥାଏ ।

 

ଏଠାରେ ଯାହାକୁ ମୁଁ ଟୁକୁ ବୋଲି କହିଲି, ତୁମେ ସବୁ ତାକୁ ଟିକି ବୋଲି କହିପାର; ମନା କହିପାର, ମୁନା ବି କହିପାର । କିନ୍ତୁ ତୁମେ କେବେ ସେହି ଟୁକୁକୁ ଚିହ୍ନିଛ କି ? ତୁମେ କେହି ଆପଣା ଭିତରର ଟୁକୁକୁ ଚିହ୍ନିଛ କି ? ତା’ର ଟିକି ଦେହ ଓ ଟିକି ବିବରଣୀ ଭିତରେ ତୁମେ କେବେ ଗୋଟାଏ ବିରାଟ ଶିଶୁ ସହିତ ପରିଚିତ ହେବାକୁ ସାହସ କରିଛ କି ? ହଁ, ଇଏ ହେଉଛି ପ୍ରକୃତରେ ଗୋଟାଏ ସାହସ କରିବାର ବ୍ୟାପାର, ଦୁଇଟି ଜଳବିନ୍ଦୁ ପରି ଦୁଇଟି ଟିକି ଟିକି ଆଖିରେ ଏକ ବିରାଟ ସମୁଦ୍ରକୁ ଖୋଜୁଥିବାର ବ୍ୟାପାର ।

Image